ସିମଲା(ସତ୍ୟପାଠ ବ୍ୟୁରୋ): ହିମାଚଳ ପ୍ରଦେଶର ଚମ୍ବାର ଟିସା-ବୈରଗଡ଼ ମୁଖ୍ୟ ରାସ୍ତାର ଚାଲୁଜ୍ ମୋଡ଼ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୈରାଗଡ଼ରୁ ଚମ୍ବା ଯାଉଥିବା ଏକ ଘରୋଇ ବସ୍ ରାସ୍ତାରୁ ୧୦୦ ଫୁଟ ତଳକୁ ଖସି ପଡ଼ିବାରୁ ଡ୍ରାଇଭର ଏବଂ କଣ୍ଡକ୍ଟର ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି । ୧୧ ଜଣ ଆହତ ହୋଇଛନ୍ତି। ବସ୍ଟି ୧୮ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ପୁଲିସ ଏବଂ ସ୍ଥାନୀୟ ଲୋକମାନେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ୭ ଜଣ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଚମ୍ବାର ପଣ୍ଡିତ ଜବାହରଲାଲ ନେହେରୁ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଦୁର୍ଘଟଣା ପରେ କିଛି ଲୋକ ବସ୍ ଭିତରେ ଫସି ଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ପଥଚାରୀ ଯାତ୍ରୀମାନଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲେ।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ ଏକ ଘରୋଇ ବସ୍ ବୈରାଗଡ଼ରୁ ଚମ୍ବା ଅଭିମୁଖେ ବାହାରିଥିଲା। ପ୍ରାୟ ତିନି କିଲୋମିଟର ଯାତ୍ରା କରିବା ପରେ, ବସ୍ ଟିସା-ବୈରଗଡ଼ ମୁଖ୍ୟ ରାସ୍ତାର ଦେବୀକୋଠି ନିକଟରେ ଚାଲୁଜ ମୋଡ଼ରେ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଥିଲା।
