ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଅବପାତ ରୂପ ନେବାକୁ ଯାଉଛି ବଙ୍ଗୋପସାଗରରରେ ସୃଷ୍ଟ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ରାଜ୍ୟର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିଭଳି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଢେଙ୍କାନାଳ, ଦେଓଗଡ଼, କେନ୍ଦୁଝର, ଅନୁଗୋଳ, ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କ ଏହି ସମୟ ମଧ୍ୟରେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।