୨୨ ଜିଲ୍ଲାରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ, ଭିତ୍ତି ପ୍ରସ୍ତର ସ୍ଥାପନକଲେ ମୁଖ୍ୟମନ୍ତ୍ରୀ

ସତ୍ୟପାଠ 23/12 ଭୁବନେଶ୍ବର: ରାଜ୍ୟରେ ତିଆରି ହେବାକୁ ଯାଉଛି ୫୫ଟି ନୂଆ ବସ୍‌ଷ୍ଟାଣ୍ଡ । ଯାତ୍ରୀଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ୨୨ଜିଲ୍ଲାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରାୟ ୨୨ ଜିଲ୍ଲାର ସମସ୍ତ ବ୍ଲକକୁ ବସ୍‌ ସଂଯୋଗ କରାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ୨୨ ଜିଲ୍ଲାରେ ହେବାକୁ ଥିବା ନୂଆ ବସ୍‌ଷ୍ଟାଣ୍ଡ ଜିଲ୍ଲା ମୁଖ୍ୟାଳୟ ସମେତ ଆର୍ଥିକ କାରବାର ତଥା ପର୍ଯ୍ୟଟନ କ୍ଷେତ୍ରଗୁଡିକ ପାଇଁ ବେଶ ସହାୟକ ହେବ । ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଗ୍ରାମାଞ୍ଚଳକୁ ସମସ୍ତ ପ୍ରକାର ସଂଯୋଗ ତଥା ସୁବିଧାସୁଯୋଗ ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି । ନୂଆ ବସ୍‌ଷ୍ଟାଣ୍ଡ ହେଲେ ଗ୍ରାମାଞ୍ଚଳର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେବେ । ରାଜ୍ୟରେ ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବା ନେଇ ଅଶାକରାଯାଉଛି ।

ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ସମଗ୍ର ଓଡିଶାକୁ ସଂଯୋଗ କରିବା ପାଇଁ ପ୍ରୟାସ ଜାରିରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘OSRTC ପକ୍ଷରୁ କମ୍ୟୁନିକେସନ ନେଟଓ୍ବର୍କକୁ ଆହୁରି ମଜବୁତ କରିବା ପାଇଁ ରାଜ୍ୟର କୋଣ ଅନୁକୋଣକୁ ବସ୍‌ ସଂଯୋଗ ତଥା ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ ଜାରି ରହିଛି’ । ଏହା ସହିତ ରାଜ୍ୟରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟ ତଥା ଲୋକାଭିମୁଖି କାର୍ଯ୍ୟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହୁରି ଅନେକ ସୁବିଧାସୁଯୋଗ ଯୋଗାଇଦେବା ତଥା ଅର୍ଥନୈତିକ କାରବାର ପାଇଁ ସୁବିଧା ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ନୂଆ ବସ୍‌ଷ୍ଟାଣ୍ଡ ବେଶ୍‌ ସହାୟକ ହେବ ।

Related Posts