ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ):  ୨୬ ବର୍ଷ ପରେ ଜେଲରୁ ମୁକୁଳିବାକୁ  ଯାଉଛନ୍ତି ଦାରା ସିଂହ। ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ହତ୍ୟା ମାମଲାରେ ଜେଲରେ ଥିବା ଦାରା ସିଂହ

ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜେଲରୁ ମୁକୁଳିବେ। ଦାରା ସିଂହ ଜେଲ୍‌ରୁ ମୁକ୍ତ ହେବା ପରେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଯିବେ । ତାଙ୍କୁ ଏକ ଶୋଭାଯତ୍ରାରେ ଘଟଗାଁ ନିଆଯିବ । ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ଏନେଇ ସୂଚନା ଦେଇଛନ୍ତି। ଏଥିଲାଗି ସେ ଦାରା ସେନାର ସମସ୍ତ କର୍ମୀ ଓ ହିନ୍ଦୁ ସଂଗଠନଗୁଡିକୁ ପୂର୍ବାହ୍ନ ୧୦ଟାରେ କେନ୍ଦୁଝର ଜେଲ୍ ନିକଟରେ ପହଞ୍ଚିବା ପାଇଁ ନିବେଦନ କରିଛନ୍ତି ।

ଶ୍ରୀ ଜୈନ ଦର୍ଶାଇଛନ୍ତି ଯେ, ୨୬ ବର୍ଷ ଜେଲ୍ରେ ରହିବା ପରେ ଦାରା ସିଂହ ଜେଲରୁ ମୁକ୍ତ ହୋଇ ସମସ୍ତ ହିନ୍ଦୁ ଭାଇଭଉଣୀମାନଙ୍କ ସହ ଏକ ଶୋଭାଯାତ୍ରାରେ ଘଟଗାଁ ତାରିଣୀ ମନ୍ଦିରକୁ ଯିବେ । ଏହା ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ । ଦାରାଙ୍କୁ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନେଇଥିବା ପଦକ୍ଷେପକୁ ଦାରା ସେନା ପକ୍ଷରୁ ବିଶେଷ ପ୍ରଶଂସା କରାଯାଇଛି ।

 

ସୂଚନାଯୋଗ୍ୟ ଯେ, ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ୧୯୯୯ ଜାନୁଆରୀ ୨୨ ତାରିଖରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗାଁରେ ପୋଡ଼ି ହତ୍ୟା କରାଯାଇଥିଲା। ଏହି ଚର୍ଚ୍ଚିତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ଦାରା ସିଂହ (ରବୀନ୍ଦ୍ର କୁମାର ପାଲ) । ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ବର୍ଷ ଧରି ଜେଲଦଣ୍ଡ ଭୋଗୁଥିଲେ ।