ସମ୍ବଲପୁର(ସତ୍ୟପାଠବ୍ୟୁରୋ ): ଋଣ ନେଇଥିଲେ ୨ ଲକ୍ଷର, ହେଲେ ୨୦ ବର୍ଷରେ ସୁଧ  ହୋଇଛି ୮ ଲକ୍ଷ। ୨୦୦୬ ମସିହାରେ ୨ ଲକ୍ଷ ଲୋନ ଆଣିଥିଲେ, ସେଥିରୁ ଦେଢ଼ ଲକ୍ଷ ସୁଝିବା ପରେ ବି ସୁଧ ୮ ଲକ୍ଷ ଟଙ୍କା ହୋଇଛି। ବ୍ୟାଙ୍କ ଘରଦ୍ବାର ସିଲ କରିଦେଇଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମ୍ବଲପୁର ଜିଲ୍ଲା ସାହାଁସପୁର ପଞ୍ଚାୟତ ବାଉଁଶେନମୁରା ଗାଁର ତ୍ରିନାଥ ରୋହିଦାସ। ତାଙ୍କ ଘର ସିଲ କରି ଦେଇଛି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ। ତେବେ ପୀଡ଼ିତ ପରିବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବାବେଳେ ସମସ୍ୟାର ସମାଧାନ ପାଇଁ ଗୁହାରୀ କରିଛନ୍ତି। ୫ ଲକ୍ଷ ଟଙ୍କା ବ୍ୟାଙ୍କକୁ ଦେବୁ ବୋଲି ପରିବାର ଲୋକେ କହିଥିବାବେଳେ, ବ୍ୟାଙ୍କ କହୁଛି ସାଢ଼େ ୮ ଲକ୍ଷ ଟଙ୍କା ନ ଦେଲେ ଘରର ସିଲ ହଟିବନି। ବ୍ୟାଙ୍କ କହୁଛି ଟଙ୍କା ନ ଦେଲେ ଘର ଖୁବ ଶୀଘ୍ର ନିଲାମ ହେବ। ମାର୍ଚ୍ଚ ମାସରୁ ଘର ସିଲ ହୋଇଥିବାବେଳେ ପରିବାର ଲୋକେ ସମ୍ପର୍କୀୟଙ୍କ ଘରେ ରହୁଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।