ମାଲକାନଗିରି(ସତ୍ୟପାଠବ୍ୟୁରୋ): ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ପୋଲିସ ଜୁଲୁମ କରୁଥିବା ଅଭିଯୋଗ ହୋଇଛି। ଗାଁରେ ପଶି ଆଦିବାସୀଙ୍କୁ ଗିରଫ କରି ଆନ୍ଧ୍ର ନେଇଯାଉଛି ପୋଲିସ। ପ୍ରାୟ ୩ବର୍ଷ ଧରି ଏଭଳି ବର୍ବରତା ଜାରି ରହିଥିଲେ ସୁଦ୍ଧା ଓଡ଼ିଶା ପୋଲିସ ଓ ପ୍ରଶାସନ ନିରବ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦ କରି ଆଜି ରାସ୍ତାକୁ ଓହ୍ଲାଇଛନ୍ତି ପାପେରମେଟଲା ପଞ୍ଚାୟତ କୁନିଗୁଡ଼ା ଗାଁର ଶତାଧିକ ମହିଳା। ଅସ୍ତ୍ରଶସ୍ତ୍ର ଧରି ରାସ୍ତା ଅବରୋଧ ସହ ଆନ୍ଧ୍ର ପୋଲିସର ଏକ ଗାଡ଼ିକୁ ଅଟକାଇ ରଖିଥିଲେ। ସୀମାନ୍ତ ଗାଁ ଅକ୍ତିଆର ପାଇଁ ବହୁଦିନ ହେଲା ଆନ୍ଧ୍ରର ଷଡ଼ଯନ୍ତ୍ର ଜାରି ରହିଛି। କୁନିଗୁଡ଼ା ସମେତ ପରଲୁବାନ୍ଦା, ଗନ୍ଦିଗୁଡ଼ା, ରୁମା, ବିଡ଼ାରପାକନା, ମୁଟଲାଗୁଡ଼ା, ଜାମଯୋଡ଼ି, ତେନ୍ତୁଳିଗୁଡ଼ା ଆଦି ଗାଁରେ ରାତିଅଧରେ ସେମାନେ ପଶୁଛନ୍ତି, ବିନା ନୋଟିସ୍‌ରେ ବଳପୂର୍ବକ ଗ୍ରାମବାସୀଙ୍କୁ ଉଠାଇ ନେଉଛନ୍ତି। ତେବେ ଦୁଃଖ କଥା ଏନେଇ କୌଣସି ସୁରାକ ସୁଦ୍ଧା ପାଉନି ଚିତ୍ରକୋଣ୍ଡା ପୋଲିସ। ବାରମ୍ବାର ମାନବାଧିକାର ଉଲ୍ଲଂଘନ ହେଉଥିଲେ ସୁଦ୍ଧା ଏଯାଏଁ ଓଡ଼ିଶା ପକ୍ଷରୁ ପ୍ରତିବାଦ କରାଯାଇନି। ସୀମାନ୍ତ ଗ୍ରାମବାସୀଙ୍କ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି। କୁନିଗୁଡ଼ା ଗାଁର ପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ପରେ ଗାଡ଼ିରେ ବସାଇ ନେଇଯିବାକୁ ଉଦ୍ୟମ କରୁଥିଲା ଆନ୍ଧ୍ର ପୋଲିସ। କିନ୍ତୁ ଓଡ଼ିଶା ସୀମାରେ ଶତାଧିକ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୋଲିସ ଗାଡ଼ିକୁ ଘେରି ଯାଇଥିଲେ। ରାସ୍ତାରେ ପଥର ରଖି ଅବ‌ରୋଧ କରିବା ସହ ଆନ୍ଧ୍ର ପୋଲିସର ବର୍ବରତା ବିରୋଧରେ ସ୍ବର ଉଠାଇଥିଲେ। ଶେଷରେ ବାଧ୍ୟ ହୋଇ ଆନ୍ଧ୍ର ପୋଲିସ ଗିରଫ କରିଥିବା ସମସ୍ତଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ଏହାପରେ ପୋଲିସ ଗାଡ଼ିକୁ ଗ୍ରାମବାସୀ ଛାଡ଼ିଥିଲେ। ଅନ୍ୟପଟେ ଆନ୍ଧ୍ର ପୋଲିସର ଅତ୍ୟାଚାର ବଢ଼ି ଚାଲିଥିବାରୁ ଗ୍ରାମବାସୀ ସଂଧ୍ୟାରେ ଚିତ୍ରକୋଣ୍ଡା ଥାନାର ଦ୍ବାରସ୍ଥ ହୋଇ ଏହାର ତଦନ୍ତ ଓ ନ୍ୟାୟ ଦାବି କରିଛନ୍ତି।