ଭୁବନେଶ୍ୱର(ସତ୍ୟପାଠବ୍ୟୁରୋ)- ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପର ସମନ୍ୱିତ ବିକାଶ ପାଇଁ BKPPER ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବ। ପ୍ରାୟ ୫ ହଜାର କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଉନ୍ନତି କରିବା ଏହାର ଲକ୍ଷ୍ୟ। ରାଜ୍ୟ ସ୍ତରୀୟ ପ୍ରୋଜେକ୍ଟ ମନିଟରିଂ କମିଟିରେ ଅନୁମୋଦନ ପରେ ପ୍ରକଳ୍ପ କାମ ଆରମ୍ଭ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଓ ଲୋନ ମିଳିବା ପୂର୍ବରୁ ନିଜସ୍ୱ ଅର୍ଥରେ ଆରମ୍ଭ ହେବ ପ୍ରକଳ୍ପ।

ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ମୋଟ ୫ ହଜାର କୋଟି ଟଙ୍କା। ୧ ହଜାର ୫୦୦ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ମିଳିବାକୁ ଥିବା ବେଳେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କରୁ ୩ ହଜାର ୫୦୦ କୋଟି ଟଙ୍କା ଋଣ ନେବେ ରାଜ୍ୟ ସରକାର। ଏହି ଅର୍ଥ ମିଳିବା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ପ୍ରକଳ୍ପ ଆରମ୍ଭ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପରେ ୪ ଟି ସହରକୁ ନେଇ ଏହାର ଭିତ୍ତିଭୂମି, ଶିଳ୍ପ, ପର୍ଯ୍ୟଟନର ସମ୍ମିଳିତ ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।