ନାବାଳିକା ଦୁଷ୍କର୍ମରେ ଓଡ଼ିଶା ଏକ ନମ୍ବର: ନରସିଂହ ମିଶ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜ୍ୟରେ ନାବାଳିକାଙ୍କ ପ୍ରତି ଅତ୍ୟାଚାର ବା ଦୁଷ୍କର୍ମର ଅନୁପାତ ଦେଶରେ ସର୍ବାଧିକ । କେବଳ 6 ମାସ ମଧ୍ୟରେ ରାଜ୍ୟରେ 1005 ଜଣ ନାବାଳିକା ଯୌନ ଶୋଷଣର ଶିକାର ହୋଇଛନ୍ତି । କିନ୍ତୁ ଦୋଷୀଙ୍କୁ ଦଣ୍ଡ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ନାବାଳିକାଙ୍କ ପ୍ରତି ବଢ଼ୁଥିବା ଯୌନ ଶୋଷଣ ମାମଲାକୁ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ଚଳିତ ବର୍ଷ ଆରମ୍ଭରୁ ଜୁନ ମାସ ମଧ୍ୟରେ ରାଜ୍ୟରେ 1005 ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ଗତକାଲି ସରକାର ମୁଖା ଖୋଲିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏନେଇ ପ୍ରଶ୍ନକାଳ ବାତିଲ କରି ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗ ଆଲୋଚନା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲା କଂଗ୍ରେସ । କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଆଉ କହିଥିଲେ ଯାହା ଆଲୋଚନା କରିବାର ଅଛି ସବୁ ଶୂନ୍ୟକାଳରେ ଆଲୋଚନା ହେବ । ଅର୍ଥାତ ସରକାର ଏହି ସମ୍ବାଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁଁନାହାନ୍ତି । ବିରୋଧୀ ଦଳର ଦାବିକୁ ଆଲୋଚନା କରିବାକୁ ଗୃହରେ ସୁଯୋଗ ନଦିଆଯିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ନରସିଂହ । ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ମିଶ୍ର କହିଥିଲେ ।

ଅନ୍ୟପଟେ ସରକାର ମହିଳା ଓ ନାବାଳିକାଙ୍କ ବିରୋଧରେ ବୃଦ୍ଧି ପାଉଥିବା ଅପରାଧ ମାମଲାକୁ ନିନ୍ଦା କରିବା ସହ ଏହାକୁ ନେଇ ଚିନ୍ତିତ ମଧ୍ୟ ଅଛନ୍ତି । କିନ୍ତୁ ଗୃହରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ପାଇଁ ଆଲୋଚନା ହୋଇପାରିଲା ନାହିଁ । ବିରୋଧୀଙ୍କ ଏଭଳି ଆଚରଣ ପାଇଁ ଅନ୍ୟ ସଦସ୍ୟମାନଙ୍କ ସମୟ ବର୍ବାଦ ହୋଇଛି ବୋଲି ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି  । ଯେ କୌଣସି ବିଷୟରେ ସକରାତ୍ମ ଆଲୋଚନା ପାଇଁ ସବୁବେଳେ ସରକାର ପ୍ରସ୍ତୁତ ଅଛନ୍ତି । ମହିଳା ଏବଂ ନାବାଳିକାଙ୍କ ପ୍ରତି ବଢ଼ୁଥିବା ଅପରାଧକୁ ରୋକିବା ପାଇଁ ସରକାର ଯଥା ସମ୍ଭବ ଚେଷ୍ଟା କରାଯାଉଛି । ଏଭଳି ଘଟଣାକୁ ଶେଷ କରିବାକୁ ହେଲେ ଆମକୁ ହଙ୍ଗାମା ନକରି ଆଲୋଚନା ମାଧ୍ୟମରେ ନିର୍ଣ୍ଣୟ ନେବାର ଆବଶ୍ୟକତା ଅଛି । ବିରୋଧୀଙ୍କ ତଥ୍ୟ ଏବଂ ଦାବିକୁ ମଧ୍ୟ ଗ୍ରହଣ କରାଯାଇଛି ବୋଲି ଲତିକା ପ୍ରଧାନ କହିଛନ୍ତି ।

ସେପଟେ ଆଜି ମଧ୍ୟ ଗତକାଲି ଭଳି ପ୍ରଶ୍ନକାଳ ଆରମ୍ଭରୁ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ବିରୋଧୀ ଗୃହରେ ହୋହଲ୍ଲା କରିଛନ୍ତି । ବିରୋଧୀ ସଦସ୍ୟମାନେ ଫ୍ଲାକାଟ ଧରି ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି ଓ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ରଙ୍ଗଶାଳା ପଛରେ କିଏ ରହିଛି ତା ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ରାଜ୍ୟରେ ସୀମା ଲଂଘିଛି ତେଣୁ ଏହି ପ୍ରସଙ୍ଗରେ ତୁରନ୍ତ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ । ହଙ୍ଗାମା ଯୋଗୁଁ ବାଚସ୍ପତି ଗୃହକୁ ୧୨ଟା ଯାଏ ମୁଲବତୀ ଘୋଷଣା କରିଥିଲେ । ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ କଂଗ୍ରେସ ମୁଲତବୀ ନୋଟିସ ଜାରି କରିଥିଲେ ବି ରାଷ୍ଟ୍ର ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୃହରେ ଉତ୍ତର ରଖି ନାହାନ୍ତି ।

Related Posts