ଖାଦ୍ୟ ଅଭାବରୁ ହଷ୍ଟେଲ ଛାଡ଼ିଲେ 200ରୁ ଅଧିକ ଅନ୍ତେବାସୀ

ପାଳଲହଡା: ଚୂଲିକୁ ଗଲା ସରକାରଙ୍କ ‘ବେଟି ବଚାଅ, ବେଟି ପଢ଼ାଅ’ ଯୋଜନା । ଖାଦ୍ୟ ଅଭାବରୁ ହଷ୍ଟେଲ ଛାଡ଼ିଲେ 200ରୁ ଅଧିକ ଆଦିବାସୀ ଛାତ୍ରୀ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକରେ ଥିବା ଶିବିଡା ଶିକ୍ଷା ନିକେତନରେ । ଯେଉଁଠି କିଛି ଦିନ ତଳେ ଅନ୍ତେବାସୀଙ୍କୁ ଡାଲି ପାଣି ଦିଆଯିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବି ପାଲଟିଥିଲା । ଏବେ ପୁଣି ହଷ୍ଟେଲରେ ପାଣିର ଅସୁବିଧା, ଶୌଚ ହେବାର ଅସୁବିଧା, ଖାଇବା ପିଇବାରେ ଅସୁବିଧା ସାମ୍ନାକୁ ଆସିଛି ।  ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ସମସ୍ତଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣି ନଥିବା ଅଭିଯୋଗ କରିଛନ୍ତି ହଷ୍ଟେଲ ଛାଡିଥିବା ଆଦିବାସୀ ଛାତ୍ରୀ । ଖାଇବା ଓ ଚିକିତ୍ସା ମିଳୁ ନଥିବାରୁ ବାଧ୍ୟ ହୋଇ ପିଲାମାନଙ୍କୁ ହଷ୍ଟେଲରୁ ଘରକୁ ନେଇଆସିଥିବା କହିଛନ୍ତି ଅଭିଭାବକ ।

ସବୁଠୁ ସାଙ୍ଘାତିକ କଥା ହେଲା ଯେ ଛାତ୍ରୀମାନଙ୍କୁ ଦିନେ ଦିନେ ଉପବାସ ରଖି ସ୍କୁଲ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ । ଆଉ ଯଦି କେହି ଏହାର ପ୍ରତିବାଦ କରନ୍ତି ତେବେ ଉକ୍ତ ଛାତ୍ରୀଙ୍କୁ ହଷ୍ଟେଲ ଦାୟିତ୍ବରେ ଥିବା ମେଟରନ ଶିକ୍ଷୟିତ୍ରୀ ଗାଳି କରିବା ସହ ଧମକ ମଧ୍ୟ ଦେଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏତେ ସବୁ ଅଭିଯୋଗ, ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବି ସରକାର ଏବଂ ପ୍ରଶାସନର ନୀରବତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

କୁଆଡେ ଗଲା ‘ମୋ ସରକାର’ ଯୋଜନା ?

‘ମୋ ସରକାର’ କ’ଣ ଆଦିବାସୀ ଛାତ୍ରୀଙ୍କର ନୁହେଁ ?

ତେବେ ‘ମୋ ସରକାର’ କାହାପାଇଁ ?

ଶିବିଡ଼ା ଶିକ୍ଷା ନିକେତନକୁ ଯିବାକୁ ରାସ୍ତା ପାଉନାହାନ୍ତି କି 5-ଟି ସଚିବ ?

ନା ସେଠି ହେଲିକ୍ପଟର ଓହ୍ଲାଇବାର ସୁବିଧା ନାହିଁ ?

ଶିବିଡା ଶିକ୍ଷା ନିକେତନରେ ଅବହେଳା ନେଇ ବାରମ୍ବାର ଅଭିଯୋଗ ପରେ ବି କାହିଁକି ଚୁପ ବସିଛି ପ୍ରଶାସନ ?

ସ୍ଥାନୀୟ ଜନ ପ୍ରତିନିଧି କରୁଛନ୍ତି କ’ଣ ?

ଆଦିବାସୀ ପିଲାଙ୍କ ଭବିଷ୍ୟତକୁ ନେଇ କାହିଁକି ଖେଳୁଛନ୍ତି ସରକାର ?

ଶିବିଡ଼ା ଶିକ୍ଷା ନିକେତନର ସମସ୍ୟାର ସମାଧାନ କେବେ ହେବ ?

କେବଳ ଶିବିଡ଼ା ଶିକ୍ଷା ନିକେତନ ନୁହେଁ ରାଜ୍ୟରେ ଏଭଳି ଅନେକ ହଷ୍ଟେଲ ଅଛି ଯେଉଁଠି ଅନ୍ତେବାସୀଙ୍କ ପ୍ରତି ଅବହେଳା ଏବଂ ନିର୍ଯାତନ ଦିଆଯାଉଥିବା ଅଭିଯୋଗ ଆସୁଛି । ହେଲେ ଅନ୍ତେବାସୀଙ୍କ ପ୍ରତି ସରକାରଙ୍କ ଏଭଳି ମୌନ ବ୍ରତ ନେଇ ସହରବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

Related Posts