ରାଜ୍ୟର ୧୧ ହାଜର ୭୧୦ ସ୍କୁଲରେ ନାହିଁ ବିଜୁଳି ସଂଯୋଗ; ବିଧାନସଭାରେ ତଥ୍ୟ ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୨/୩(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ୧୧ ହଜାର ୭୧୦ଟି ବିଦ୍ୟାଳୟରେ ଏଯାଏ ବିଜୁଳି କିମ୍ବା ସୋଲାର ପ୍ୟାନେଲ ସଂଯୋଗ ହୋଇ ନାହିଁ। ଅନ୍ଧାରରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ବୁଧବାର ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ଯେତେବେଳେ ରାଜ୍ୟର ସ୍କୁଲ ଗୁଡିକର ଭିତ୍ତିଭୂମି ବିକାଶ କରାଯାଉଥିବା କଥା ରାଜ୍ୟ ସରକାର କହୁଛନ୍ତି ସେହି ସମୟରେ ହଜାର ହଜାର ସ୍କୁଲକୁ ବିଜୁଳି ସଂଯୋଗ ହୋଇନଥିବା କଥା ଜଣାପଡିଛି। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଏକ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ଅନ୍ୟୁନ ୨୧ ହଜାର ୬୫ଟି ବିଦ୍ୟାଳୟରେ ଖେଳ ପଡ଼ିଆ ନାହିଁ। ସେହିପରି ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି। ଓଡ଼ିଶାରେ ୬ ହଜାର ୭୮୧ଟି ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନଥିବା ବେଳେ ୬ ହଜାର ୧୧ଟି ବିଦ୍ୟାଳୟରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ କେତେ ସଂଖ୍ୟକ ସ୍କୁଲରେ ବିଜୁଳି, ଖେଳ ପଡ଼ିଆ, ଆବଶ୍ୟକ ଶ୍ରେଣୀଗୃହ ଓ ଶିକ୍ଷକଙ୍କ ଭଳି ମୌଳିକ ଭିତ୍ତିଭୂମିର ଅଭାବ ରହିଛି ତଥା ଜାଣିବାକୁ ଚାହିଁ ବିଜେପି ବିଧାୟକ ମୋହନ ମାଝି ପ୍ରଶ୍ନ କରିଥିଲେ। ସେହିପରି ଓଡ଼ିଶାରେ ଗ୍ରସ୍ ଏନରୋଲମେଣ୍ଟ୍ ରେସିଓ ଓ ଡ୍ରପ୍ ଆଉଟ୍ ରେଟ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହାର ଉତ୍ତରରେ ମନ୍ତ୍ରୀ ତଥ୍ୟ ରଖିଛନ୍ତି, ୨୦୨୧-୨୨ ଶିକ୍ଷା ବର୍ଷରେ ଓଡ଼ିଶାର ପ୍ରାଥମିକ ସ୍ତରରେ ମୋଟ ନାମଲେଖା ଅନୁପାତ ୧୦୦.୩୨ ଥିଲା। ଉଚ୍ଚ ପ୍ରାଥମିକ ସ୍ତରରେ ଏହି ଅନୁପାତ ୯୨.୯୦ ଥିବା ବେଳେ ମାଧ୍ୟମିକ ସ୍ତରରେ ୮୦.୩୬ ଥିବା ମନ୍ତ୍ରୀ କହିଛନ୍ତି।

୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାରେ ପ୍ରାଥମିକ ସ୍ତରରେ ଡ୍ରପ୍ ଆଉଟ୍ ହାର ଶୂନ ଥିଲା। ଉଚ୍ଚ ପ୍ରାଥମିକ ସ୍ତରରେ ଏହି ସଂଖ୍ୟା ୭.୩୪ ଥିବା ବେଳେ ମାଧ୍ୟମିକ ସ୍ତରରେ ୨୭.୨୬ ଥିବା ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ଗତ ଆଠ ବର୍ଷ ମଧ୍ୟରେ ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ସମୁଦାୟ ୧୯ ହଜାର ୪୯୦ ଜଣ ଶିକ୍ଷା ସହାୟକ ନିଯୁକ୍ତ କରିଛନ୍ତି। ୨୦୧୪-୧୫ ଶିକ୍ଷାବର୍ଷରେ ରାଜ୍ୟ ସରକାର ୯ ହଜାର ୫୩୯ ଜଣ ଓ ୨୦୧୬-୧୭ ଶିକ୍ଷାବର୍ଷରେ ୯ ହଜାର ୯୫୧ ଜଣ ଶିକ୍ଷା ସହାୟକଙ୍କୁ ନିୟୁକ୍ତି ଦେଇଥିବା ମନ୍ତ୍ରୀ କହିଛନ୍ତି।

Related Posts