ମେ’ ୨୬ ରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ କଳାଦିବସ ପାଳନକୁ ସମର୍ଥନ କଲେ ୧୨ ବିରୋଧୀ ଦଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ରର ୩ କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେବ ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତା ମେ’ ୨୬ ତାରିଖ ଦିନ କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛି । ଜାତୀୟ ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ମେ ୨୬ରେ ୬ ମାସ ପୁରିବାକୁ ଯାଉଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି । କୃଷକମାନଙ୍କ ଏହି ବିରୋଧ ପ୍ରଦର୍ଶନକୁ କଂଗ୍ରେସ ସହ ୧୨ ବିରୋଧୀ ଦଳ ସମର୍ଥନ କରିଛନ୍ତି। ବିରୋଧୀ ଦଳର ପକ୍ଷରୁ ମିଳିତ ବିବୃତ୍ତି ଜାରି କରି ଦେଶବ୍ୟାପୀ କଳା ଦିବସ ପାଳନକୁ ଆହ୍ୱାନକୁ ସମର୍ଥନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା(ଜେଡିଏସ୍), ଏନସିପି ମୁଖ୍ୟ ଶରଦ ପୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଟିଏମସି), ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (ଶିବସେନା), ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (ଡିଏମକେ), ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (ଜେଏମଏମ), ଫାରୁକ୍ ଅବଦୁଲ୍ଲା (ଏନସି), ଅଖିଳେଶ ଯାଦବ (ଏସପି), ତେଜସ୍ୱୀ ଯାଦବ( ଆରଜେଡି), ସିପିଆଇର ଡି ରାଜା ଏବଂ ସିପିଆଇ-ଏମର ସୀତାରାମ ୟେଚୁରୀ ଏହି ବିରୋଧ ପ୍ରଦର୍ଶନକୁ ସମର୍ଥନ ଜଣାଇଛନ୍ତି । ବିରୋଧୀ ଦଳ ପକ୍ଷରୁ ଜାରି ଏହି ମିଳିତ ବିବୃତ୍ତିରେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।

Related Posts