ବିଗତ ୨୦ ବର୍ଷରେ ୧୭୦୦ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି: ଆରଏସଏଫ୍‌ ରିପୋର୍ଟ

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ବିଗତ ୨୦ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ପ୍ରାୟ ୧୭୦୦ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ରିପୋର୍ଟର୍ସ ଉଇଦାଉଟ୍‌ ବର୍ଡ‌୍‌ରସ (ଆରଏସଏଫ୍‌)ର ଏକ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ଏହି ଆରଏସଏଫ୍‌ ରିପୋର୍ଟ ଅନୁସାରେ ପ୍ରତିବର୍ଷ ୮୦ରୁ ଅଧିକ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ପ୍ୟାରିସରେ ଗଣମାଧ୍ୟମ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି, ସୂଚନା ଅଧିକାର ସେବା କ୍ଷେତ୍ରରେ କାମ କରିଥିବା ସାମ୍ବାଦିକଙ୍କ ପାଇଁ ୨୦୦୩ରୁ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ୨ ଦଶନ୍ଧିର ସମୟ ଘାତକ ହୋଇଛି।

ଆରଏସଏଫ ମହାସଚିବ ଖ୍ରିଷ୍ଟାଫ୍‌ ଦେଲୋରି କହିଛନ୍ତି ଯେ, ସତ୍ୟର ଅନୁସନ୍ଧାନ କରିବାକୁ ଯାଇ ଅନେକ ସାମ୍ବାଦିକ ପ୍ରାଣ ହାରିଛନ୍ତି। ବିଶେଷ କରି ଇରାକ ଏବଂ ସିରିଆ ଭଳି ରାଷ୍ଟ୍ରଗୁଡ଼ିକ ସାମ୍ବାଦିକଙ୍କ ପାଇଁ ଅଧିକ ବିପଜ୍ଜନକ ବୋଲି ସେ କହିଛନ୍ତି। ଏହି ୨ଟି ରାଷ୍ଟ୍ରରେ ଗତ ୨୦ ବର୍ଷ ମଧ୍ୟରେ ମୋଟ୍‌ ୫୭୮ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଅର୍ଥାତ ସମଗ୍ର ବିଶ୍ବରେ ୧ ତୃତୀୟାଂଶରୁ ଅଧିକ ସାମ୍ବାଦିକ ଇରାକ ଏବଂ ସିରିଆରେ ହତ୍ୟାର ଶିକାର ହୋଇଛନ୍ତି। ସେହିପରି ମେକ୍ସିକୋରେ ୧୨୫ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ବେଳେ ଫିଲିପାଇନ୍ସରେ ୧୦୭, ପାକିସ୍ତାନରେ ୯୩, ଆଫଗାନିସ୍ତାନରେ ୮୧ ଏବଂ ସୋମାଲିଆରେ ୭୮ ସାମ୍ବାଦିକ ହତ୍ୟାର ଶିକାର ହୋଇଛନ୍ତି।

ଆରଏସଏଫ୍‌ ପକ୍ଷରୁ ୨୦୧୨ ଏବଂ ୨୦୧୩କୁ ‘ଡାର୍କେଷ୍ଟ୍‌ ଇୟର’ କୁହାଯାଇଛି। ୨୦୧୨ରେ ୧୪୪ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଥିବା ବେଳେ ୨୦୧୩ରେ ୧୪୨ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ତେବେ ୨୦୧୯ ପରେ ସାମ୍ବାଦିକଙ୍କୁ ହତ୍ୟା ସାମାନ୍ୟ କମିଥିଲା। କିନ୍ତୁ ୨୦୨୨ରେ ପୁଣିଥରେ ସାମ୍ବାଦିକଙ୍କୁ ହତ୍ୟା ବଢ଼ିଛି। ଋଷ-ୟୁକ୍ରେନ୍‌ ଯୁଦ୍ଧ ସହ ସାମ୍ବାଦିକଙ୍କ ମୃତ୍ୟୁ ବଢ଼ିଛି। ୨୦୨୨ରେ ଏଯାବତ ୫୮ ଜଣ ସାମ୍ବାଦିକଙ୍କୁ କାର୍ଯ୍ୟ କରୁଥିବା ସମୟରେ ହତ୍ୟା କରାଯାଇଛି। ଅନ୍ୟପକ୍ଷେ ୨୦୨୧ରେ ୫୧ ସାମ୍ବାଦିକ ହତ୍ୟାର ଶିକାର ହୋଇଥିଲେ। ସେହିଭଳି ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ୮୯ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ୍‌ ଏବେ ସାମ୍ବାଦିକଙ୍କ ପାଇଁ ସବୁଠାରୁ ବିପଜ୍ଜନକ ରାଷ୍ଟ୍ର ବୋଲି ରିପୋର୍ଟରେ କୁହାଯାଇଥିବା ବେଳେ ରୁଷ୍‌ରେ ମଧ୍ୟ ଗତ ୨୦ ବର୍ଷ ମଧ୍ୟରେ ୨୫ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଏହି ରିପୋର୍ଟରୁ ଜଣାପଡିଛି।

Related Posts