ଦିଲ୍ଲୀରେ ପଶିଲେ ଜୈସ୍‌-ଏ-ମହମ୍ମଦର 2 ଜଣ ଆତଙ୍କବାଦୀ, ରାଜଧାନୀରେ ହାଇ ଆଲର୍ଟ

ପଞ୍ଜାବର ଅମୃତସର ବିସ୍ଫୋରଣର ଦୁଇ ଦିନ ପରେ ଦିଲ୍ଲୀ ପୋଲିସ୍‌ ମଙ୍ଗଳବାର ଜୈସ୍‌-ଏ-ମହମ୍ମଦର ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଫଟୋ ଜାରି କରି ରାଜଧାନୀରେ ହାଇ ଆଲର୍ଟ ଜାରି କରିଛି । ପୋଲିସ୍‌ର କହିବା ଅନୁସାରେ, ଏ ଦୁଇ ଜଣ ଆତଙ୍କବାଦୀ ରାଜଧାନୀରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ।

ପୋଲିସ୍‌ ପକ୍ଷରୁ କୁହାଯାଇଛି ଯେ ଦୁଇ ଜଣଙ୍କୁ ଠାବ କରିବାକୁ ଗେଷ୍ଟ ହାଉସ୍‌, ହୋଟେଲ୍‌ ଓ ବିଦେଶୀ ପେଇଂ ଗେଷ୍ଟ ଭାବେ ରହୁଥିବା ସ୍ଥାନ ଗୁଡ଼ିକର ଖାନତଲାସୀ କରାଯାଉଛି । ଦିଲ୍ଲୀର ସବୁ ପ୍ରବେଶ ପଥରେ କଡ଼ା ନଜର ରଖାଯାଇଛି । ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କର ଫଟୋ ସହରର ଅନେକ ସ୍ଥାନରେ ଲଗାଯାଇଛି ଏବଂ ସୋସିଆଲ୍‌ ମିଡିଆରେ ବି ଏହାକୁ ସେୟାର କରାଯାଇଛି ।

ଦିଲ୍ଲୀ ପୋଲିସ୍‌ ଯେଉଁ ଫଟୋ ଜାରି କରିଛି, ସେଥିରେ ଦୁଇ ଜଣ ବ୍ୟକ୍ତି ଏକ ପଥର ପାଖରେ ଛିଡ଼ା ହୋଇଥିବା ଦେଖାଯାଇଛନ୍ତି, ଯାହା ଉପରେ ଲେଖାଯାଇଛି ଫିରୋଜପୁର 9 କିଲୋମିଟର ଏବଂ ଦିଲ୍ଲୀ 360 କିଲୋମିଟର ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହା ପୂର୍ବରୁ ପଞ୍ଜାବରେ ବି ଆତଙ୍କବାଦୀଙ୍କ ପ୍ରବେଶ ନେଇ ଗୁଇନ୍ଦା ସୂଚନା ମିଳିଥିଲା ।

ସେପଟେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍‌ ସେଲ୍‌ ଇନ୍ଦିରା ଗାନ୍ଧି ବିମାନବନ୍ଦରରୁ ହିଜବୁଲ୍‌ ମୁଜାହିଦ୍ଦିନର ସେହି ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଗିରଫ କରି ଏକ ବଡ଼ ସଫଳତା ହାସଲ କରିଛି । ଯାହାକୁ ଜମ୍ମୁ କାଶ୍ମୀର ପୋଲିସ୍‌ ସିଆଇଡି ୟୁନିଟ୍‌ରେ କାମ କରୁଥିବା ଏସ୍‌ଆଇଙ୍କର ହତ୍ୟା ମାମଲାରେ ପୋଲିସ୍‌ ଖୋଜୁଥିଲା ।

ପୋଲିସ୍‌ ହାତରେ ଧରା ପଡ଼ିଥିବା ଆତଙ୍କବାଦୀ ଜମ୍ମୁ କାଶ୍ମୀର ପୁଲୱାମାରେ ସବ୍‌ ଇନିସପେକ୍ଟର ଇମ୍‌ତିଆଜ୍‌ ମୀରଙ୍କର ହତ୍ୟାରେ ଅଭିଯୁକ୍ତ । ପୋଲିସ୍‌ କହିବା ଅନୁସାରେ ଅଭିଯୁକ୍ତ ନିଜର ଗାର୍ଲଫ୍ରେଣ୍ଡ ମାଧ୍ୟମରେ ହିଁ ଏସ୍‌ଆଇଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ହାସଲ କରି ହିଜବୁଲ୍‌ ମୁଜାହିଦ୍ଦିନ୍‌ରେ ଥିବା ନିଜର ଆତଙ୍କବାଦୀ ସାଥୀଙ୍କୁ ଦେଇଥିଲା, ଯାହା ପରେ ମୀରଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା ।

Related Posts