ଅଷ୍ଟ୍ରେଲିଆରେ ଆଜିଠାରୁ ରୋହିତ-ବିରାଟ ରେସ୍‌, କିଏ କାହାକୁ ପଛରେ ପକାଇବ ?

ଭାରତର ଅଷ୍ଟ୍ରେଲିଆ ଗସ୍ତ 3ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ରୁ ହେଉଛି । ସିରିଜ୍‌ର ପ୍ରଥମ ଟି-ଟ୍ବେଣ୍ଟି ବୁଧବାର ବ୍ରିସବେନ୍‌ରେ ଖେଳାଯିବ । ଗୋଟିଏ ପଟେ ଯେତେବେଳେ ଟିମ୍‌ ଇଣ୍ଡିଆ କଙ୍ଗାରୁଙ୍କୁ ତାଙ୍କରି ହିଁ ଘରେ ଚିତ୍‌ପଟାଙ୍ଗ କରିବାକୁ ପଡ଼ିଆକୁ ଓହ୍ଲାଇବ, ଅନ୍ୟପଟେ ଭାରତର ଦୁଇ ଧୂରନ୍ଧରଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିବ ‘ରେସ୍‌’ ।

ଏହି ରେସ୍‌ରେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ଓ କ୍ୟାପଟେନ୍‌ ବିରାଟ କୋହଲି ସାମିଲ୍‌ ଅଛନ୍ତି । ଯଦିଓ ଏହି ନିଆରା ଯୁଦ୍ଧରେ କିଏ ବାଜି ମାରିବ, ତାର ଫଳାଫଳ ସିରିଜ୍‌ ଶେଷ ହେବା ବେଳକୁ ସାମ୍ନାକୁ ଆସିବ । କିନ୍ତୁ ଏହି ରେସ୍‌ର ଆରମ୍ଭ ବ୍ରିସବେନ୍‌ ଟି-ଟ୍ବେଣ୍ଟିରୁ ହିଁ ଆରମ୍ଭ ହୋଇଯିବ ।

ରୋହିତ ଶର୍ମା ଟି-ଟ୍ବେଣ୍ଟି ଇଣ୍ଟରନ୍ୟାସନାଲ୍‌ରେ ସବୁଠାରୁ ଅଧିକ ରନ୍‌ କରିବାରେ ବିରାଟ କୋହଲିଙ୍କୁ ପଛରେ ପକାଇ ସାରିଛନ୍ତି । ଆଉ ଏବେ ମାତ୍ର 65 ରନ୍‌ କଲେ ସେ ଟି-ଟ୍ବେଣ୍ଟିରେ ବିଶ୍ବ ରେକର୍ଡ କରିଦେବେ । ଅର୍ଥାତ୍‌ ସର୍ବାଧିକ ରନ୍‌ କରିବାରେ ସେ ସବୁଠାରୁ ଆଗରେ ପହଞ୍ଚିଯିବେ । ପଛରେ ରହିଯିବେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍‌ ଗୁପ୍ଟିଲ୍‌ ।

T-20 ଅନ୍ତର୍ଜାତୀୟରେ ସର୍ବାଧିକ ରନ୍‌

1. ମାର୍ଟିନ୍‌ ଗୁପ୍ଟିଲ୍‌ (ନ୍ୟୁଜିଲ୍ୟାଣ୍ଡ) 2271 ରନ୍‌

2. ରୋହିତ ଶର୍ମା (ଭାରତ) 2207 ରନ୍‌

3. ସୋଏବ୍‌ ମଲିକ୍‌ (ପାକିସ୍ତାନ) 2190 ରନ୍‌

4. ବ୍ରେଣ୍ଡନ୍‌ ମ୍ୟାକୁଲମ୍‌ (ନ୍ୟୁଜିଲ୍ୟାଣ୍ଡ) 2140 ରନ୍‌

5. ବିରାଟ କୋହଲି (ଭାରତ) 2102 ରନ୍‌

ବ୍ରିସ୍‌ବେନ୍‌ ଟି-ଟ୍ବେଣ୍ଟିରେ ଆହୁରି ଅନେକ ରୋଚକ ପରିସଂଖ୍ୟାନ ଉପରେ ରହିବ ନଜର

ଅଷ୍ଟ୍ରେଲିଆ ଟିମ୍‌ ଖେଳିଥିବା ନିଜର ପୂର୍ବ 4ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି । ଯଦି ଭାରତ ବିପକ୍ଷ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଅଷ୍ଟ୍ରେଲିଆ ହାରି ଯାଉଛି, ତେବେ କଙ୍ଗାରୁମାନେ ପ୍ରଥମ ଥର ପାଇଁ ଲଗାତାର 6ଟି ମ୍ୟାଚ୍‌ ହାରିବାର ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିବ ।

ରୋହିତ ଶର୍ମାଙ୍କ ପାଇଁ 100 ଛକ୍କା ମାରିବାର ରେକର୍ଡ ନିଜ ନାମରେ କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ଚାରିଟି ଛକ୍କା ମାରି ରୋହିତ ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ହେବ । ଏ ଯାଏଁ ରୋହିତ ଶର୍ମା 87ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ରେ 96ଟି ଛକ୍କା ମାରି ସାରିଛନ୍ତି ।

ଭାରତୀୟ ଟିମ୍‌ କଙ୍ଗାରୁଙ୍କ ବିରୋଧରେ ସେମାନଙ୍କ ମାଟିରେ ଗତ 4ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ପଞ୍ଚମ ମ୍ୟାଚ୍‌ ଜିତିଲେ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ଲଗାତାର 5ଟି ମ୍ୟାଚ୍‌ରେ ପରାସ୍ତ କରିବାରେ ପ୍ରଥମ ଟିମ୍‌ ହେବ ।

Related Posts