ରାଜ୍ୟ ସରକାରଙ୍କ ୪୩ ବିଭାଗରେ ୨ ଲକ୍ଷ ୨୬ ହଜାର ପଦବୀ ଖାଲି; ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,୨୧/୩(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କ ୪୩ଟି ବିଭାଗରେ ମୋଟ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡ଼ିଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ରାଜ୍ୟର ମୋଟ ୬, ୨୫, ୧୩୬ ପଦବୀରୁ ୨,୨୬, ୫୫୯ ପଦବୀ ଖାଲି ପଡିଛି।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସଂପ୍ରତି ୩ ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ଏହି ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସବୁଠାରୁ ଅଧିକ ୬୧, ୮୩୬ଟି ପଦବୀ ଖାଲି ପଡ଼ିଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି ଗୃହ ବିଭାଗର ୨୬,୭୯୮ ଓ ସ୍ଵାସ୍ଥ୍ୟ ବିଭାଗର ମଧ୍ୟ ୩୬,୦୪୫ଟି ପଦବୀ ଖାଲି ପଡ଼ିଛି।

ସେହିଭଳି ବିଭିନ୍ନ ବିଭାଗ ରେ ଖାଲି ପଦରୁ କେବଳ ପ୍ରଥମ ଶ୍ରେଣୀ ପାହ୍ୟା ର ୧୨,୩୩୭ , ଦ୍ଵିତୀୟ ଶ୍ରେଣୀ ପାହ୍ୟାର ୪୫,୯୬୯ , ତୃତୀୟ ଶ୍ରେଣୀ ପାହ୍ୟାର ୧,୧୩,୫୩୬, ଚତୁର୍ଥ ଶ୍ରେଣୀ ପାହ୍ୟାର ୩୫,୨୯୮ ଓ ଗ୍ରାଣ୍ଟ ଇନ ଏଡ଼ ବର୍ଗ ରେ ୧୯,୬୧୯ ପଦ ଖାଲି ପଡ଼ିଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଠିକା ଭିତ୍ତିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଅର୍ଥମନ୍ତ୍ରୀ ବିଧାନସଭା ରେ ତଥ୍ୟ ରଖିନାହାନ୍ତି ।

ତେବେ ମନ୍ତ୍ରୀ ଦେଇଥିବା ଏହି ତଥ୍ୟ ସବୁ ୨୦୨୧ ଡିସେମ୍ବର ମାସର। ଏବେ ଦୁଇ ବର୍ଷ ପରେ ଏହି ସଂଖ୍ୟା ନିଶ୍ଚୟ ବୃଦ୍ଧି ପାଇଥିବ। ତେବେ ଦୀର୍ଘ ୨୩ ବର୍ଷର ଶାସନ ପରେ ଏବେ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଦେଖା ଦେଇଥିବା ବେଳେ ସରକାରଙ୍କ ବିଭିନ୍ନ ବିଭାଗରେ ଏତେ ସଂଖ୍ୟକ ପଦବୀ ଖାଲି ପଡିବା ସରକାରଙ୍କ ଇଚ୍ଛାଶକ୍ତି ଉପରେ ବଡ ପ୍ରଶ୍ନ ଚିହ୍ନ ଛିଡ଼ା କରିଛି।

Related Posts