ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କହି ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି ବିରୋଧୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କହି ବିରୋଧୀ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୃହ ବିଭାଗର ଖର୍ଚ୍ଚ ଦାବି ଉତ୍ତର ଅବସରରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ସେ ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଯଦି ଆଇନଶୃଙ୍ଖଳା ଠିକ ନଥାନ୍ତା, ରାଜ୍ୟକୁ ତା’ହେଲେ ପୁଞ୍ଜିନିବେଶ ଆସନ୍ତା ନାହିଁ। ଦେଶରେ ଓଡ଼ିଶାକୁ ସବୁଠାରୁ ଅଧିକ ପୁଞ୍ଜିନିବେଶ ଆସୁଛି। ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନଥାନ୍ତା, ନିବେଶ ଆସିନଥାନ୍ତା। ଓଡ଼ିଶାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଠିକ୍‌ ନଥିବା କହିବା ଓଡ଼ିଶାବାସୀଙ୍କୁ ଅପମାନ କରିବା ସହ ସମାନ। ଯେଉଁମାନେ ଏପରି କହୁଛନ୍ତି, କିଛି ମନେ ରଖିବା ଉଚିତ। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ରେ ନିବେଶକମାନେ ଆସି କହୁଛନ୍ତି ଓଡ଼ିଶାବାସୀ ଶାନ୍ତିପ୍ରିୟ। ଯିଏ ବି ଆସୁଛନ୍ତି, ତାଙ୍କର ପ୍ରଥମ ମନ୍ତବ୍ୟ କେତେ ସୁନ୍ଦର ଓ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାର ଲୋକେ ଶାନ୍ତିପ୍ରିୟ ହୋଇଥିବାରୁ ସେମାନଙ୍କ ପାଇଁ ମୁଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ବର୍ଗତଃ ଦାସଙ୍କ ଦୁଃଖଦ ହତ୍ୟା ଘଟଣାରେ, ଏହି ଗୃହରେ ମୁଁ କେବଳ ବିବୃତି ଦେଇଛି। ଏହି ସମ୍ବେଦନଶୀଳ ଘଟଣାରେ କୌଣସି ପୁଲିସ ଅଧିକାରୀ କି କର୍ତ୍ତୃପକ୍ଷ କାହା ଆଗରେ କି ଗଣମାଧ୍ୟମରେ କିଛି ବିବୃତି ରଖିନାହାନ୍ତି। ଏବେବି ତଦନ୍ତ ଚାଲିଛି, ନିୟମ ଅନୁଯାୟୀ ଧାର୍ଯ୍ୟ ସମୟରେ ଚାର୍ଜସିଟ୍ ଦାଖଲ ହେବ। ହେଲେ ବିରୋଧୀ କେଉଁଠୁ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ପାଗଳ କିମ୍ବା ସରକାର ଅଭିଯୁକ୍ତକୁ ପାଗଳ ଦର୍ଶାଇବାକୁ ଚାହୁଁଛି? ଶସ୍ତା ରାଜନୀତି ପାଇଁ ବିରୋଧୀ ମିଛ କହୁଛନ୍ତି। ମୋ ସରକାର ସର୍ବଦା ନ୍ୟାୟ ପକ୍ଷରେ ଛିଡ଼ା ହୋଇଥାଏ। ଏହି ନିର୍ଦ୍ଦିଷ୍ଟ ଘଟଣାରେ ଆମର ଦୁଇଟି ଉଦ୍ଦେଶ୍ୟ ଅଛି। ପ୍ରଥମଟି, ହତ୍ୟାକାଣ୍ଡ ପଛର ସତ୍ୟତାକୁ ଉନ୍ମୋଚନ କରିବା ଓ ଦ୍ବିତୀୟଟି, ଏଥିରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କୁ ନିଶ୍ଚିତ ଦଣ୍ଡ ଦେବା। ଏଥିପାଇଁ ଆମେ ସମସ୍ତ ବୈଜ୍ଞାନିକ ପଦ୍ଧତି ଅନୁସରଣ କରିବା ସହ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବୃତ୍ତିଗତ ସଂସ୍ଥାକୁ ସଂପୃକ୍ତ କରୁଛୁ। ପୂରା ତଦନ୍ତ ପ୍ରକ୍ରିୟା ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ପରିଚାଳିତ ହେଉଛି। ଏହାସତ୍ତ୍ବେ ବିରୋଧୀ ଅଭିଯୋଗ ଆଣୁଛନ୍ତି ଯେ ସରକାର ତଦନ୍ତରେ କିଛି ଲୁଚାଉଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ରାଜନୈତିକ ସୁବିଧାବାଦ। ମୁଁ ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଉଛି ଯେ ବିରୋଧୀ ଯେଉଁ ସବୁ ସମ୍ବେଦନଶୀଳ ମାମଲା ଉଠାଇଛନ୍ତି ସେଥିରେ ନ୍ୟାୟ ମିଳିବ ଏବଂ ଅପରାଧୀମାନେ ଦୋଷୀ ସାବ୍ୟସ୍ତ ହେବେ। ଯେତେବେଳେ ଏହା ହେବ ସେତେବେଳେ ରାଜ୍ୟବାସୀ ବିରୋଧୀଙ୍କ ସଂକୀର୍ଣ୍ଣ ରାଜନୈତିକ ମାନସିକତାର ବିଚାର କରିବେ।

ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ରାଜ୍ୟ ପୁଲିସକୁ ସୁଦୃଢ଼ କରିବାକୁ ୩୬ଟି ଥାନା ସୃଷ୍ଟି/ଉନ୍ନତୀକରଣ କରାଯାଇଛି। ବିଭିନ୍ନ ରାଙ୍କର ୨୨୦୦ ପଦବି ସୃଷ୍ଟି କରାଯାଇଛି। ଏବେ ପୁଲିସ, ଜେଲ୍, ଅଗ୍ନିଶମ ବିଭାଗରେ ୬୫୦୦ରୁ ଅଧିକ ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ମୋ ସରକାର କାର୍ଯ୍ୟକ୍ରମରେ ପୁଲିସ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ଗୁଣାତ୍ମକ ସେବା ଆଣିବା ପାଇଁ ଲୋକଙ୍କ ମତାମତ ନିଆଯାଉଛି। ବହୁତ ଲୋକ ଭଲ କହୁଛନ୍ତି।

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଉପରେ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଲେ, ୫-ଟି ଓ ‘ମୋ ସରକାର ‘ ପଦକ୍ଷେପ ଦ୍ବାରା ଲୋକଙ୍କୁ ସେବା ଯୋଗାଣ ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହାଦ୍ବାରା ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧କୋଟି ଲୋକଙ୍କୁ ଫୋନ୍ କରି ମତାମତ ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ଅଭିଯୋଗ ଓ ମତାମତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ନିଯୁକ୍ତି ଦେଉଛୁ। ୨୦୨୨-୨୩ରେ ୮୦୦୦ ପ୍ରାର୍ଥୀଙ୍କୁ ଓପିଏସ୍‌ସି, ଓଏସ୍‌ଏସ୍‌ସି ଏବଂ ଓଏସ୍‌ଏସ୍‌ଏସ୍‌ସି ମାଧ୍ୟମରେ ନିଯୁକ୍ତି ମିଳିଛି। ମୋ ସରକାର ଓଡ଼ିଆ ମାଧ୍ୟମିକ ଶିକ୍ଷାକୁ ଗୁରୁତ୍ବ ଦେବା ସହ ଓଡ଼ିଆ ପଢ଼ିବାକୁ ଉତ୍ସାହିତ କରୁଛି। ଦୁର୍ନୀତି ରୋକିବାକୁ ଲୋକାୟୁକ୍ତ ଓ ଭିଜିଲାନ୍ସ ପକ୍ଷରୁ କଠୋର ପଦକ୍ଷେପ ନିଆଯାଉଛି। ୫୫୭ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୨୮୭ଟିରେ ଅପରାଧିକ ମାମଲା ଏବଂ ୬୦ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗଣତନ୍ତ୍ରରେ ଲୋକମାନେ ସର୍ବୋଚ୍ଚ ଏବଂ ଆମେ ସେମାନଙ୍କର ସେବା କରିବାକୁ ଏଠାରେ ଅଛୁ।

ଅନ୍ୟପଟେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା କ୍ଷଣି ବିଜେପି ବିଧାୟକମାନେ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ କାହିଁକି ଲେଖା କାଗଜ ଦେଖିକି ପଢ଼ୁଛନ୍ତି ବୋଲି ପଚାରିଥିଲେ। ଶାସକ ଦଳ ବି ବିରୋଧୀଙ୍କୁ ବିରୋଧ କରି ନାରାବାଜି ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ବିବୃତି ରଖିପାରିନଥିଲେ। ବାଚସ୍ପତି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଲେଖା ଦେଖି ପଢ଼ୁନାହାନ୍ତି, ରେଫର୍ କରୁଛନ୍ତି। ମୁଁ ରେଫର୍‌ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ଦେଉଛି। ତଥାପି ବିରୋଧୀଙ୍କ ହଟ୍ଟଗୋଳ କମି ନଥିଲା। ପ୍ରାୟ ୧୩ମିନିଟ ଧରି ହୋହଲ୍ଲା କରିବାରୁ ମୁଖ୍ୟମନ୍ତ୍ରୀ ବିବୃତି ରଖିପାରିନଥିଲେ। ଏହାମଧ୍ୟରେ କଂଗ୍ରେସ ବିଧାୟକମାନେ ଗୃହତ୍ୟାଗ କରିଥିଲେ। ୬ଟା ୫୫ରେ ବିଜେପି ବିଧାୟକମାନେ ଗୃହ ତ୍ୟାଗ କଲେ। ସଂଧ୍ୟା ୭ଟାରେ ବାଚସ୍ପତି ଗୃହର କାର୍ଯ୍ୟକାଳ ଅଧଘଣ୍ଟା ଯାଏ ବଢ଼ାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଗୃହରେ ତାଙ୍କ ବିବୃତି ରଖିଥିଲେ।

Related Posts