
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ। ଏ ନେଇ ଗଣଶିକ୍ଷା ବିଭାଗ ଏବଂ ସିଏଚ୍ଏସ୍ଇ କର୍ତ୍ତୃପକ୍ଷ ଉଭୟ ଘୋଷଣା କରିଛନ୍ତି। ରେଜଲ୍ଟ ପ୍ରକାଶ ପାଇବକୁ ଆଉ ମାତ୍ର ୧୦ଦିନ ସମୟ । ତେବେ ଦଶମ ଭଳି ଯୁକ୍ତ ଦୁଇ ରେଜଲ୍ଟରେ କିପରି ତ୍ରୁଟି ନରହିବ ସେ ନେଇ ଜୋରଦାର ପ୍ରୟାସ ଚାଲିଛି । ତେବେ କଲେଜଗୁଡ଼ିକ ମାର୍କ ନପଠାଉଥିବାରୁ ଏବେ ନିର୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ ନେଇ ଆଶଙ୍କା ଦେଖାଦେଇଛି। ତେବେ ସିଏଚ୍ଏସ୍ଇ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ବାରମ୍ବାର ଚିଠି ଲେଖିଥିଲେ ସୁଦ୍ଧା ଯୁକ୍ତ ୨ କଲେଜଗୁଡ଼ିକ ପରୀକ୍ଷାର୍ଥୀଙ୍କ ପ୍ରାକ୍ଟିକାଲ ମାର୍କ ଦାଖଲ କରୁନାହାନ୍ତି। ଏମିତିକି ସେମାନଙ୍କର ମାଟ୍ରିକ୍ ମାର୍କ ଲିଷ୍ଟ ମଧ୍ୟ ପଠାଉ ନଥିବା ସୂଚନା ମିଳିଛି। ସବୁଠାରୁ ବଡ଼ କଥା ହେଉଛି ବେସରକରୀ କଲେଜଗୁଡ଼ିକ ଏ କ୍ଷେତ୍ରରେ ଆଗରେ ରହିଥିବା ବେଳେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ସହଯୋଗ କରୁ ନଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ , ଏହି ରବିବାର ସୁଦ୍ଧା ୧୨୯ଟି କଲେଜ ପ୍ରାୟ ୧୫୦୦ ପରୀକ୍ଷାର୍ଥୀଙ୍କ ପ୍ରାକ୍ଟିକାଲ ମାର୍କ ଦାଖଲ କରି ନଥିଲେ ଏବଂ ସେଥି ମଧ୍ୟରୁ ୪ଟି କଲେଜ ପ୍ରାକ୍ଟିକାଲ ମାର୍କ ଦାଖଲ ନେଇ ପ୍ରକ୍ରିୟା ହିଁ ଆରମ୍ଭ କରି ନଥିଲେ। ଏତଦ୍ ବ୍ୟତୀତ ୧୨୫ ଟି କଲେଜର ପ୍ରାକ୍ଟିକାଲ ମାର୍କ ଦାଖଲ ପ୍ରକ୍ରିୟା ଏବେ ବି ଜାରି ରହିଥିବା ଜଣାପଡିଛି। ରବିବାର ସୁଦ୍ଧା ଖୋର୍ଧାର ପି ଏନ୍ କଲେଜର ୧୦୬୨ ଜଣ ଛାତ୍ରଛାତ୍ରୀଙ୍କ ମାର୍କ ଦାଖଲ ହୋଇ ନଥିଲା। ପରିଷଦ ପକ୍ଷରୁ କଲେଜ ଗୁଡିକର ତାଲିକା ପ୍ରକାଶ ପାଇବ ପରେ ସୋମବାର ବିଳମ୍ବିତ ରାତି ସୁଦ୍ଧା ଆହୁରି ୪୪ ଜଣଙ୍କ ମାର୍କ ଦାଖଲ କରିବା ବାକି ରହିଥିବା ଜଣାପଡ଼ିଛି। ଏ ସବୁ ଵାଦ୍ କଲେଜଗୁଡ଼ିକ ପରୀକ୍ଷାର୍ଥୀଙ୍କ ମାଟ୍ରିକ ମାର୍କ ଦାଖଲ କରିବାରେ ଅସହଯୋଗ କରୁଥିବାରୁ ନିର୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସନ୍ଦେହ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ସୋମବାର ରାତି ସୁଦ୍ଧା ୨୦୧ ଯୁକ୍ତ ୨ କଲେଜ ପରୀକ୍ଷାର୍ଥୀଙ୍କ ଦଶମ ଶ୍ରେଣୀ ମାର୍କ ଦାଖଲ କରିନାହାନ୍ତି। ସେହିପରି ୧୮୬ କଲେଜ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ତଥ୍ୟ ପ୍ରଦାନ କରି ନ ଥିବା ଜଣାପଡ଼ିଛି।
ଅପରପକ୍ଷରେ ମାର୍କ ପ୍ରୋସେସିଂ ପାଇଁ ୧୦ରୁ ୧୫ଦିନ ସମୟ ଲାଗିବ ବୋଲି ଫାର୍ମ ହାଉସ୍ ଇତିମଧ୍ୟରେ ପରିଷଦକୁ ଅବଗତ କରାଇଛି। ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାଫଳ ପ୍ରକାଶ କରିବା ବର୍ତ୍ତମାନ ସିଏଚ୍ଏସ୍ଇ କର୍ତ୍ତୃପକ୍ଷଙ୍କ ପାଇଁ ଏକ ଚ୍ୟାଲେଞ୍ଜର ବିଷୟ ପାଲଟିଛି । ରେଜଲ୍ଟ ପ୍ରକାଶ ପାଇବକୁ ଆଉ ମାତ୍ର ଦଶ ଦିନ ସମୟ ଥିବା ବେଳେ କିଭଳି ସଠିକ୍ ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯିବ, ତାହା ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।