ମହାବାତ୍ୟାକୁ ୨୦ ବର୍ଷ, ମନରୁ ଲିଭିନି ଛାତିଥରା ଦୃଶ୍ୟ

ଆଜି ହେଉଛି ଅକ୍ଟୋବର ୨୯ । ଠିକ ୨୦ ବର୍ଷ ତଳେ ଆଜିର ଦିନରେ ପ୍ରକୃତି ରଚିଥିଲା ତାଣ୍ଡବ । ଛାରଖାର ହୋଇଯାଇଥିଲା ଓଡ଼ିଶା । ପ୍ରଳୟଙ୍କାରୀ ବାତ୍ୟାରେ ବିଧ୍ୱସ୍ତ ହୋଇଯାଇଥିଲା ଉପକୂଳବର୍ତୀ ଅଞ୍ଚଳ । ସରକାରୀ ଭାବେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ମହାବାତ୍ୟା ।

ମହାବାତ୍ୟାକୁ ଆଜି ପୂରିଛି ୨୦ ବର୍ଷ । ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ । ପ୍ରକୃତିର ସେହି ତାଣ୍ଡବ ଆଜି ଯାଏଁ ମଧ୍ୟ ଆଖିରୁ ଲିଭି ନାହିଁ । ନିମିଷକ ମଧ୍ୟରେ ଧ୍ୱଂସସ୍ତୁପ ପାଲଟିଥିଲା ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା । ଉଜୁଡି ଯାଇଥିଲା ଜୀବନ ଜୀବିକା । ଗଣ୍ଟା ପ୍ରତି ପ୍ରାୟ ୨୦୦ କିମି ବେଗରେ ବହିଥିଲା ପବନ । ଯାହା ଫଳରେ ଅନେକ ଝାଟିମାଟି ଘର ଏପରିକି କିଛି କୋଠାଘର ମଧ୍ୟ ଭଗ୍ନସ୍ତୁପ ପାଲଟିଥିଲା । ଏହି ପ୍ରଳୟଙ୍କାରୀ ମହାବାତ୍ୟାରେ ପ୍ରାୟ ୧୦ ହଜାରରୁ ଅଧିର ଲୋକ ପ୍ରାଣ ହରାଇଥିଲେ । ଅର୍ଧାଧିକ ଓଡିଶା ଏହାର ଶିକାର ହୋଇଥିଲା । ପ୍ରାୟ ୨୦ହଜାରରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ । କାହାର ଘର ସଂସାର ଉଜୁଡି ଯାଇଥିଲା ତ ପୁଣି କିଏ ସର୍ବଶ୍ୱ ହରାଇଥିଲା । ଏପରିକି କିଛି ସ୍ଥାନରେ କୁଢକୁଢ ଶବ ପଡି ରହିଥିଲା । ଯାହାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା ।

କହିବାକୁ ଗଲେ ଓଡିଶାର ମେରୁଦଣ୍ଡ ଦୋହଲି ଯାଇଥିଲା । ପ୍ରାୟ ୧ ମାସ ଧରି ବିଜୁଳି ସଂଯୋଗ ବିଛିନ୍ନ ହୋଇ ପଡିଥିଲା । ଲୋକଙ୍କର ଖାଦ୍ୟ ଫସଲ ନଷ୍ଟ ହୋଇଯାଇଥିଲା । ଚାରିଆଡେ ହାହାକାର ପଡ଼ିଥିଲା । ବାତ୍ୟା ଚାଲିଯିବା ପରର ପରିସ୍ଥିତି ଆହୁରି ସଙ୍ଗୀନ ଥିଲା । କେଉଁ ମା ତାହାର ଛୋଟ ଛୁଆକୁ ହରାଇ କାନ୍ଦି କାନ୍ଦି ରାସ୍ତାରେ ଗଡି ଯାଉଥିଲା ତ ଆଉ କେହି ନିଜର ପରିଜନଙ୍କୁ ହରାଇ ସ୍ତବ ହୋଇଯାଇଥିଲେ । ଆହୁରି ବହୁ ଲୋକଙ୍କ କୌଣସୀ ପତା ମିଳୁ ନଥିଲା । ଆଜି ବି ସେହି ସ୍ମୃତି ମନେପଡିଲେ ଆଖିଆଗରେ ସେହି କଳା ଦିବସ କଥା ମନେ ପଡିଯାଏ । ତେବେ ମହାବାତ୍ୟା ଯିବା ପରେ ଆମକୁ ଉଚିତ ଶିକ୍ଷା ମିଳିଥିଲା । ଯାହାକୁ ନେଇ ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ଋଣନୀତି ପ୍ରସ୍ତୁତ ହୋଇଥିଲା । ଫଳରେ ଫାଇଲିନ, ହୁଡହୁଡ, ତିତଲି ଓ ଫୋନି ଭଳି ବାତ୍ୟା ବିରୋଧରେ ଲଢିବା ପାଇଁ ଆମକୁ ଅଦମ୍ୟ ସାହାସ ମିଳିଥିଲା । ଏବେ ଲୋକ ସଚେତନ ହୋଇଛନ୍ତି ଏବଂ ବାତ୍ୟା ଖବର ଶୁଣିଲା ମାତ୍ରେ ସଚେତନ ମଧ୍ୟ ହେଉଛନ୍ତି ।

Related Posts