ସାମ୍ବାଦିକଙ୍କୁ ଫସେଇବା ପାଇଁ ମକଦ୍ଦମା !

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତରମାନଙ୍କ ବିରୋଧରେ ଅଭିଯୋଗ ଓ ବିବାଦ ହଠାତ୍ ବୃଦ୍ଧି ପାଇଛି । ବୁର୍ଲା ପରେ ସୁନ୍ଦରଗଡ଼ ମେଡିକାଲ ଆଉ ଏବେ ଏକ ଗୁରୁତର ଘଟଣାର ଅଭିଯୋଗ ପଶ୍ଚିମ ଓଡ଼ିଶାରେ ଘଟିଛି । ଯଦିଓ ପୁରା ଘଟଣା ମେନଷ୍ଟ୍ରିମ୍‌ ମିଡିଆରେ ପ୍ରକାଶ ପାଇନାହିଁ । ତଥାପି ଘଟଣାର ବିଭିନ୍ନ ଦିଗକୁ ଦେଖିଲେ ଏହା ଅତିଗୁରୁତର । ଉଭୟ ପ୍ରଶାସନ ଓ ସାଧାରଣ ଲୋକ ଘଟଣା ସମ୍ପର୍କରେ ଅଧିକ ଜାଣିବାର ଆବଶ୍ୟକତା ରହିଛି । ଘଟଣାଟି ହେଲା ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଯେଉଁଠି କିଛି ଡାକ୍ତର ବେଆଇନ ଭାବେ ରୋଗୀଙ୍କୁ ଲୁଟୁଥିବାର ଅଭିଯୋଗ ଆସିଛି । ଏ ସମ୍ପର୍କରେ ଯେଉଁ ସାମ୍ବାଦିକ ଖବର କରିଛନ୍ତି ସେମାନେ ଏକଦମ ତଥ୍ୟ ଓ ପ୍ରମାଣ ଆଧାରରେ ରିପୋର୍ଟ କରିଛନ୍ତି । ଦୁଇ ଜଣ ଡାକ୍ତର ସମ୍ପୃକ୍ତ ସାମ୍ବାଦିକଙ୍କୁ ଧମକ ଚମକ ଦେବା ୨ ଲକ୍ଷ ଟଙ୍କା ମାଗିବା ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସେମାନଙ୍କ ବିରୋଧରେ ଦଳିତଙ୍କୁ ନିର୍ଯାତନା (ଦଳିତ ବିରୋଧୀ ଜାତିଆଣ ଆକ୍ଷେପ) ଲଗେଇଛନ୍ତି । ଯିଏ ଏହି ଆଇନକୁ ଜାଣିଛି ସେ ଜାଣିଛି ଯେ ଏହି ମାମଲା ଟି କେତେ ସାଙ୍ଘାତିକ । ଗୋଟିଏ ପଟେ କାଁ ଭାଁ କିଛି ସାମ୍ବାଦିକ ଟଙ୍କା ମାଗୁଥିବାର କିମ୍ବା ଡାକ୍ତରଙ୍କୁ ହଇରାଣ କରୁଥିବା ଖବର ଆସୁଛି । ଅନ୍ୟପଟେ ଡାକ୍ତରମାନେ କିଭଳି ରୋଗୀଙ୍କଠାରୁ ଟଙ୍କା ଲୁଟ କରୁଛନ୍ତି ସେନେଇ ଯେଉଁ ସାମ୍ବାଦିକ ପ୍ରମାଣ ଆଧାରରେ ରିପୋର୍ଟ କରୁଛି ତା କଥା ସାମ୍ନାକୁ ଆସୁନାହିଁ ।

ବେଲପଡ଼ା ପ୍ରାଥମିକ ଚିକିତ୍ସାଳୟର ଡାକ୍ତରମାନେ କିଛି ଗରିବ ଲୋକଙ୍କୁ ସେମାନଙ୍କ କ୍ଲିନିକ୍‌ରେ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା । ଯଦି କିଛି ଆଶୁ ଚିକିତ୍ସା ଅଛି ଡାକ୍ତର ତାଙ୍କ ଘରେ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଦେବାର କିଛି ଅସୁବିଧା ନାହିଁ । ଏହା ମଧ୍ୟ ଉତ୍ତମ ଉଦାହରଣ ଯେ ଡାକ୍ତରମାନେ ନିଜ ଡ୍ୟୁଟି ବାହାରେ ବି ଲୋକଙ୍କର ମାଗଣା ଚିକିତ୍ସା କରୁଛନ୍ତି । କିନ୍ତୁ ଏଥିରେ ଯେଉଁ ଗୁରୁତ୍ବପୂର୍ଣ୍ଣ ତ୍ରୁଟି ବା ଅଭିଯୋଗଗୁଡ଼ିକ ଦେଖା ଦେଇଛି ଯାହା ଏହି ସାମ୍ବାଦିକମାନେ ରିପୋର୍ଟ କରିଛନ୍ତି । ତାହା ହେଲା ଜଣେ ହୋମିଓପାଥିକ ଡାକ୍ତର ଅନ୍ୟ ଜଣେ MBBS ଡାକ୍ତରଙ୍କ ପ୍ୟାଡ୍‌ରେ ପ୍ରେସ୍‌କ୍ରିପ୍‌ସନ ଲେଖୁଛନ୍ତି, ତାହା ପୁଣି ଏଲୋପାଥିକ ମେଡିସିନ । ଜଣେ MBBS ଡାକ୍ତରଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଡାକ୍ତର ତାଙ୍କ ନାଁରେ ମେଡିସିନ ଲେଖୁଛନ୍ତି । ଏହା ଏକ ଗୁରୁତର ଅପରାଧ । ଆଉ ଏକ ଗୁରୁତର ଅଭିଯୋଗ ହେଲା, ସେ ଦିନ MBBS ଡାକ୍ତର ପ୍ରିତମ କୁମାର ସୁନା ଡାକ୍ତରଖାନାରେ ଉପସ୍ଥିତ ନଥିଲେ ଯେତେବେଳେ କି ତାଙ୍କର ଡ୍ୟୁଟି ଥିଲା । ଏକଥା ନିରିହ ଗରିବ ରୋଗୀ ଜାଣିପାରିଲେ ନାହିଁ । କଥା ଏତିକିରେ ସରିଲାନି ସମ୍ପୃକ୍ତ ଡାକ୍ତର ଆଉ ଦୁଇ ପାଦ ଆଗେଇ ଗଲେ । ଯେଉଁ ଏଲୋପାଥିକ ମେଡିସନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାରୀ ଡାକ୍ତରଖାନାରେ ମିଳୁଛି ଇଏ ସେହି ହସ୍ପିଟାଲର ମେଡିସିନକୁ ସମ୍ପୃକ୍ତ ରୋଗୀଙ୍କୁ ମାଗଣାରେ ଦେଲେ ଆଉ ୮୫୦ ଟଙ୍କା ନେଇଗଲେ । ଏହା ନିରିହ ରୋଗୀଙ୍କୁ ଅସୁବିଧା ବେଳେ ଲୁଟ୍‌ ନୁହେଁତ ଆଉ କ’ଣ ? ଏହା ଏକ ସଙ୍ଗୀନ ଅପରାଧ । ଯାହାକୁ ପାଟଣାଗଡ଼ର ୨ ଜଣ ସାମ୍ବାଦିକ କ୍ୟାମେରାରେ ସମସ୍ତ ଘଟଣା କଏଦ କରି ପ୍ରମାଣ ରଖି ରିପୋର୍ଟ କରିଛନ୍ତି । ଏପରିକି ଟଙ୍କା ନେବା କଥା ସମ୍ପୃକ୍ତ ଡାକ୍ତର ବି ସ୍ବୀକାର କରିଛନ୍ତି ।

ପରବର୍ତ୍ତୀ ସମୟରେ ଖବର ପ୍ରସାରଣ ହେବାର ୩ ଦିନ ପରେ ସମ୍ପୃକ୍ତ ଦଳିତ ଡାକ୍ତର ୨ ସାମ୍ବାଦିକଙ୍କ ବିରୋଧରେ ଜୋରଜବରଦସ୍ତ ୨ ଲକ୍ଷ ଟଙ୍କା ମାଗିବା ଏବଂ ଜାତିଆଣ ଆକ୍ଷେପ ମାମଲା ଦାଏର କଲେ । ଡାକ୍ତରଙ୍କ ଏତଲାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ଯେ ବାସ୍ତବରେ ସମ୍ପୃକ୍ତ ୨ ଜଣ ସାମ୍ବାଦିକ ଡାକ୍ତରଙ୍କୁ ଜାତିଆଣ ଆକ୍ଷେପ କରିଥିଲେ କି ନାହିଁ, ଆଉ ଟଙ୍କା ମାଗିଥିଲେ କି ନାହିଁ । ଗୁରୁତ୍ବପୂର୍ଣ୍ଣ କଥା ହେଲା ସାମ୍ବାଦିକ ଡାକ୍ତରଙ୍କ ବିରୋଧରେ ଯେଉଁ ଖବର ପ୍ରସାରଣ କରିଛନ୍ତି ତାହା ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣ ଦେଇ । କିନ୍ତୁ ଡାକ୍ତର ସାମ୍ବାଦିକଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ତାହାର କୌଣସି ଆଧାର ନାହିଁ କିମ୍ବା ପ୍ରମାଣ ନାହିଁ । ଅନ୍ୟପଟେ ସାମ୍ବାଦିକଙ୍କ ପକ୍ଷରୁ ମଧ୍ୟ ପାଲଟା ଏତଲା ଦିଆଯାଇଛି । ଏଥିରେ ସାମ୍ବାଦିକ ଅଜିତ ପୁରୋହିତ ସ୍ପଷ୍ଟ ଭାବେ ଏହାକୁ ଅସ୍ବୀକାର କରିଛନ୍ତି ଆଉ କହିଛନ୍ତି ଯେ ଡାକ୍ତରଙ୍କ ବିରୋଧରେ ଯେଉଁ ଟଙ୍କା ନେବା, ନିଜ କ୍ବାର୍ଟର୍ସରେ କ୍ଲିନିକ୍ କରିବା ବା ହୋମିଓପାଥିକ ଡାକ୍ତର ଏଲୋପାଥିକ ମେଡିସନି ଲେଖିବା ଖବର ପ୍ରସାରଣ ହୋଇଛି, ଡାକ୍ତର ଏଯାଏ ତାକୁ ଖଣ୍ଡନ କରିନାହନ୍ତି । ଅନ୍ୟପଟେ ଡାକ୍ତର ମଳୟ କୁମାର ତାଣ୍ଡି ଟଙ୍କା ନେବା କଥା ସ୍ବୀକାର କରିଥିଲେ ବି ବେଆଇନ କ୍ଲିନିକ୍‌ କଥାକୁ ମାନି ନାହାନ୍ତି । ଡାକ୍ତର ତାଣ୍ଡିଙ୍କ କହିବା ସେ କିଛି ଭୁଲ କରିନାହିଁ । ଔଷଧର ଯାହା ଦାମ ତାହା ନେଇ ରୋଗୀଙ୍କ ସେବା କରିଛନ୍ତି ।

ଆମର ପ୍ରଶ୍ନ

ଏ ସମସ୍ତ ଘଟଣା ଗଣମାଧ୍ୟମରେ ଅଧିକ ପ୍ରସାର ହେବା କଥା ନା ନାହିଁ ?

ଲୋକମାନେ ଏହି ଘଟଣା ସମ୍ପର୍କରେ ଅଧିକ ଜାଣିବାର ଆବଶ୍ୟକତା ଅଛି ନା ନାହିଁ ?

କାହିଁକି ଏହି ଘଟଣା ସମ୍ପର୍କରେ ସବୁ ଚୁପ୍ ?

ଯଦି ସାମ୍ବାଦିକଙ୍କ ଖବର ଭୁଲ ଥିଲା ତେବେ ଟଙ୍କା ନେବା କଥା ଡାକ୍ତର ମାନିଲେ କିଭଳି ?

ଅର୍ଥାତ ସରକାରୀ ମାଗଣା ଔଷଧ ବିକି ଟଙ୍କା ଖାଉଛନ୍ତି ଡାକ୍ତର

ଖବରକୁ ଅସ୍ବୀକାର ନକରି ପ୍ରତିଶୋଧ ନେବାକୁ ସାମ୍ବାଦିକଙ୍କ ଉପରେ ଜାତିଆଣ ଆକ୍ଷେପ ଲଗାଇଲେ ଦଳିତ ଡାକ୍ତର ?

ଜୀବନ ବଞ୍ଚାଇବା ଲୋକ ଜୀବନକୁ ନେଇ ବେପାର କରେ, ଫରଜରୀ କରି ଟଙ୍କା ଖାଏ ତେବେ ତା ବିରୋଧରେ 2 ଜଣ ସାମ୍ବାଦିକଙ୍କ ବିରୋଧରେ ଡାକ୍ତର କାହଁକି ଆଣିଲେ ଦଳିତ ବିରୋଧୀ ଜାତିଆଣ ଆକ୍ଷେପ ?

ଯଦି ଅଭିଯୋଗ ସତ୍ୟ ଥିଲା ତେବେ ଖବର ପ୍ରସାରଣ ଦିନ ଏତଲା ନଦେଇ କାହିଁକି 3 ଦିନ ପରେ ଏତଲା ଦେଲେ ଡାକ୍ତର ?

ଯଦି ଡାକ୍ତରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନରେ କି ନିୟମ ରହିଛି ?

ଫର୍ଜରୀରୁ ବଞ୍ଚିବା ପାଇଁ ଡାକ୍ତର ସାମ୍ବାଦିକଙ୍କ ବିରୋଧରେ ଦଳିତ ବିରୋଧୀ ଜାତିଆଣ ଆକ୍ଷେପ କରି ନାହାନ୍ତି ତ ?

କାହିଁକି ଗଣମାଧ୍ୟମ ଏବଂ ସାଧାରଣ ଲୋକ ଏହି ଘଟଣା ସମ୍ପର୍କରେ ଅଧିକ ଜାଣିବେ ନାହିଁ ?

ଗୋଟିଏ ପଟେ ରାଜ୍ୟ ସରକାର ଡାକ୍ତରଖାନାକୁ ଦଲାଲ ହଟାଉଛନ୍ତି । ଅନ୍ୟପଟେ ନିଜେ ଡାକ୍ତର ମାଗଣା ସରକାରୀ ମେଡିସିନକୁ ବିକି ଟଙ୍କା ଖାଉଛନ୍ତି । ତେବେ ମେଡିକାଲରୁ ଦଲାଲ ହଟାଇବ କିଏ ?

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏତେ ଅଭିଯୋଗ ହେବା ପରେ ବି ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇନାହାନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ କିମ୍ବା ୫-ଟି ସଚିବ । ଏଭଳି ଡାକ୍ତରଙ୍କ କାରନାମାକୁ ବନ୍ଦ କରିବା ପାଇଁ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଆଉ ଏଥିପାଇଁ ଆଇନରେ କି ନିୟମ ଅଛି । ସାମାନ୍ୟ ଅଭିଯୋଗରେ 5-ଟି ସଚିବ ଯଦି CDMOଙ୍କୁ ନିଲମ୍ବିତ କରିପାରୁଛନ୍ତି ତେବେ ବେଲପଡ଼ାର ଏହି ଦୁଇ ଡାକ୍ତଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି କାହିଁକି ?

ଯଦି ସାମ୍ବାଦିକ ଦୁଇ ଜଣ ପ୍ରକୃତରେ ଡାକ୍ତରଙ୍କୁ ଟଙ୍କା ମାଗିଛନ୍ତି ଓ ଜାତିଆଣ ଆକ୍ଷେପ କରିଛନ୍ତି ତାହେଲେ ନିରପେକ୍ଷ ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତାହେଲେ ଏଭଳି କଳା ମେଣ୍ଢାମାନଙ୍କ ଚେହେରା ଜଣାପଡ଼ିବ। ଅନ୍ୟପଟେ ଯଦି ଦୋଷରୁ ମୁକୁଳିବା ପାଇଁ ଡାକ୍ତର ମିଥ୍ୟା ଅଭିଯୋଗ କରିଛନ୍ତି ତେବେ ପ୍ରଶାସନ ତୁରନ୍ତ ଏଭଳି ମାରାତ୍ମକ ଡାକ୍ତରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ। ତା ନ ହେଲେ ସାମ୍ବାଦିକମାନେ ନିଛକ୍ ଓ ଅନୁସନ୍ଧାନ ମୂଳକ ଖବର କରିବାକୁ ଭୟ କରିବେ।

Related Posts