ଭାରତକୁ ଫେରିବେ 2000 ମସିହା ମ୍ୟାଚ୍‌ ଫିକ୍ସିଂର ବୁକି, ପ୍ରତ୍ୟର୍ପଣ ପାଇଁ ଲଣ୍ଡନ କୋର୍ଟଙ୍କ ଅନୁମତି

2000 ମସିହା ମ୍ୟାଚ୍ ଫିକ୍ସିଂ ମାମଲାର ମୁଖ୍ୟ ଅଭିଯୁକ୍ତ ଜୁଆଡି ସଂଜୀବ ଚାୱଲାଙ୍କ ଭାରତ ପ୍ରତ୍ୟର୍ପଣ ରାସ୍ତା ପରିଷ୍କାର ହୋଇଯାଇଛି । ବ୍ରିଟେନ ସରକାର ସଂଜୀବ ଚାୱଲାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଛନ୍ତି । ଗତବର୍ଷ ନଭେମ୍ବରରେ ବ୍ରିଟିଶ କୋର୍ଟ ସଂଜୀବ ଚାୱଲାଙ୍କୁ ଭାରତ ପ୍ରତ୍ୟର୍ପଣ ବିରୋଧରେ ତଳ କୋର୍ଟଙ୍କ ଆଦେଶକୁ ଅଗ୍ରାହ୍ୟ କରିଦେଇଥିଲେ ।

2000 ମସିହାରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଭାରତ ଗସ୍ତ ବେଳେ ଚାୱଲା ମ୍ୟାଚ୍‌ ଫିକ୍ସ କରିଥିବା ଅଭିଯୋଗ ରହିଛି । ଏଥିରେ ଦକ୍ଷିଣ ଆଫ୍ରିକାର ତତ୍କାଳୀନ ଅଧିନାୟକ ହାଂସି କ୍ରୋନିଏଙ୍କ ସମେତ ଅନ୍ୟ କିଛି କ୍ରିକେଟର ସଂପୃକ୍ତ ଥିଲେ । ମ୍ୟାଚ୍ ଫିକ୍ସିଂରେ ନିଜର ଦୋଷ ସ୍ବୀକାର କରିଥିଲେ କ୍ରୋନିଏ ।

ପରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ କ୍ରୋନିଏ । ସଂଜୀବ ଚାୱଲା 1996ରେ ବ୍ରିଟେନ ପଳାଇଯାଇଥିଲେ । 2016ରେ ଲଣ୍ଡନରେ ତାଙ୍କୁ ଗିରଫ କରାଯାଇଥିଲା । ବିଜନେସ ଭିସା ଜରିଆରେ ଚାୱଲା ଭାରତ ବାହାରକୁ ଯାଇଥିଲେ । 2005ରେ ବ୍ରିଟିଶ ନାଗରିକତା ଗ୍ରହଣ କରିଥିଲେ ଚାୱଲା ।

Related Posts