
(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲରେ ଗତ 24 ଘଣ୍ଟା ମଧ୍ୟରେ 25 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନାର ନିର୍ଦ୍ଦେଶକ କହିଛନ୍ତି, “ପ୍ରତିଦିନ ଶହ ଶହ ନୂତନ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଉଛି। ଆମର ଅମ୍ଳଜାନର ଅଭାବ ରହିଛି। ଅମ୍ଳଜାନ ଯୋଗାଣ ମାତ୍ର 1-2 ଘଣ୍ଟା ଚାଲିବ। ଆମକୁ ଅମ୍ଳଜାନର ଜରୁରୀ ଆବଶ୍ୟକତା ରହିଛି।” ହସ୍ପିଟାଲରେ ଏବେ ୫୦୦ରୁ ଅଧିକ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ସାର୍ ଗଙ୍ଗା ରାମ ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଏହା ମଧ୍ୟ କହିଛନ୍ତି ଯେ ଡାକ୍ତରଖାନାର କୋଭିଡ୍ ୱାର୍ଡରେ ଭେଣ୍ଟିଲେଟର କାମ କରୁନାହିଁ। ଅନ୍ୟ 60 ରୋଗୀଙ୍କର ଜୀବନ ମଧ୍ୟ ବିପଦରେ ଅଛି । ଏହି ଘଟଣା ପରେ ANI ପକ୍ଷରୁ ଜାରି ଚିତ୍ରରୁ ଦେଖିବାକୁ ମିଳୁଛି , ଇନକ୍ସ ଏୟାର ପ୍ରଡକ୍ଟର ଦୁଇଟି ଅମ୍ଳଜାନ ଟ୍ୟାଙ୍କର୍ ହସ୍ପିଟାଲରେ ପ୍ରବେଶ କରୁଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୩୦୬ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୬୧୬୯ ବୋଲି ଗୁରୁବାର ରିପୋର୍ଟ ପ୍ରକାଶ ପାଇଛି। ତେବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୫୬,୩୪୮ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩,୧୯୩ ଏବଂ ଆକ୍ଟିଭ କେସ୍ ୯୧,୬୧୮ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ସୁନିଶ୍ଚିତ କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।