
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ପଜିଟିଭ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବି ବେକାବୁ ହେଉଛି କରୋନା ସ୍ଥିତି । ଏହି ଜିଲ୍ଲାରେ ଆଜି ୧୭୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି ୧୩୬ଜଣ ଚିହ୍ନଟ ହୋଇ ଥିଲେ । ଜିଲ୍ଲାରୁ ବହୁ ସଂଖ୍ୟାରେ ପଜିଟିଭ ରୋଗୀ ଚିହ୍ନଟ ହେଉଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରସ୍ଥିତ ଏମ୍ସିଏଲ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ କହିଛନ୍ତି । ଏଥି ନେଇ ସେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ଅନୁଗୁଳ ଜିଲ୍ଲାରେ ଦୃତ ଗତିରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏମ୍ଏସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଘୋଷଣା କରିବା ପାଇଁ ଚିଠରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ହସ୍ପିଟାଲରେ ଖୁବ ଶୀଘ୍ର ICU ସୁବିଧା ସହ ଶହେଟି ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ସେ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଯୋଶୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଏମସିଏଲ୍ ହସ୍ପିଟାଲକୁ କୋଭି଼ଡ୍ ହସପିଟାଲ ଭାବେ ଘୋଷଣା କରିବାକୁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।