ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁ ଭାରତୀୟ ରେଳବାଇର ୨୫୯.୪୪ କୋଟି କ୍ଷତି: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁ ଭାରତୀୟ ରେଳବାଇ ୨୫୯.୪୪ କୋଟି ଟଙ୍କା କ୍ଷତି ସହିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ କଂଗ୍ରେସ ନେତା ତଥା ସାଂସଦ ଅଖିଳେଶ ପ୍ରସାଦ ସିଂଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସାଧାରଣ ଜନତାଙ୍କ ବିଶୃଙ୍ଖଳା କାରଣରୁ ରେଳ ସେବା ବ୍ୟାହତ ହେତୁ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ଦିଆଯାଇଛି । ଏହାର ପରିମାଣ ବିଷୟରେ ଏକ ପୃଥକ ତଥ୍ୟ ଦେଇ ମନ୍ତ୍ରୀ କହିଛନ୍ତି ୨୦୨୨ ଜୁନ୍ ୧୪ରୁ ୩୦ ମଧ୍ୟରେ ଟ୍ରେନ୍ ବାତିଲ ହେତୁ ପ୍ରାୟ ୧୦୨.୯୬ କୋଟି ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି।

ଅନ୍ୟପକ୍ଷରେ ଅପରାଧ ରୋକିବା, ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ, ପଞ୍ଜୀକରଣ ଏବଂ ଅନୁସନ୍ଧାନ ତଥା ରେଳବାଇରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରେଳ ସମ୍ପତ୍ତି, ଯାତ୍ରୀଙ୍କୁ ଉନ୍ନତ ସୁରକ୍ଷା ଯୋଗାଇବା ଏବଂ ଏହା ସହ ଜଡିତ ବିଷୟଗୁଡିକ ପାଇଁ ରେଳ ସୁରକ୍ଷା ବଳ ଓ ଜିଲ୍ଲା ପୁଲିସ ରହିଛି। ରେଳ ସମ୍ପତ୍ତି ସମେତ ସରକାରୀ ସମ୍ପତ୍ତି ନଷ୍ଟ ଘଟଣାରେ ଆଇପିସି ଏବଂ ରେଳ ଅଧିନିୟମ ଅନୁଯାୟୀ ସମ୍ପୃକ୍ତ ରେଳ ସୁରକ୍ଷା ବଳ ଏବଂ ରାଜ୍ୟ ପୁଲିସ ଦ୍ୱାରା ମାମଲା ପଞ୍ଜିକୃତ କରାଯାଇ ଅନୁସନ୍ଧାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ ଅଗ୍ନିପଥ ଯୋଜନାକୁ ବିରୋଧ ସମୟରେ ଆନ୍ଦୋଳନକାରୀ ମାନେ ଟ୍ରେନରେ ନିଆଁ ଲଗାଇବା ସହ ସରକାରୀ ତଥା ବେସରକାରୀ ଯାନ ଉପରେ ଆକ୍ରମଣ କରିଥିଲେ ଓ ରେଳ ଷ୍ଟେସନ ଏବଂ ରାଜପଥ ସେ ସମୟରେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା।

Related Posts