ପଢ଼ନ୍ତୁ କେମିତି ହେଲେ ସେମାନେ ପଶ୍ଚିମ ଓଡିଶାର ଅପରାଜିତା…

ସତ୍ୟପାଠ ବ୍ୟୁରୋ : ନ୍ୟାୟ ପାଇଁ ସଂଘର୍ଷ । ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷର ସଂଘର୍ଷ । ତା ବି ଭିଟାମାଟି ଠାରୁ ମାଇଲ ମାଇଲ ଦୂର ପର ରାଇଜରେ । ଯେଉଁଠି ଡାକିଲେ କେହି ଶୁଣିବା ନଥାଏ, ଯେଉଁଠି ଝୁଣ୍ଟିପଡିଲେ କେହି ଆହା ପଦେ କହିବାକୁ ନଥାଏ ସେଇଠି ଚାଲିଥିଲା ନ୍ୟାୟ ପାଇଁ ମହା ସଂଗ୍ରାମ । ଗୋଟିଏ ପଟେ ଜଣେ ପ୍ରବଳ ବିତ୍ତଶାଳୀ ଓ ବାହୁବଳୀ ଆଉ ଅନ୍ୟପଟେ ୩ଜଣ ଗରୀବ ନାବାଳିକା ଝିଅ । ଶେଷରେ ଏ ମହାସଂଗ୍ରାମର ଫଳାଫଳ ଯାଇଛି ୩ ଗରୀବ ଝିଅଙ୍କ ସପକ୍ଷରେ । ପଢ଼ନ୍ତୁ କଣ ଥିଲା ଓଡିଶା ଉପାନ୍ତର ସେହି ଲୋମହର୍ଷଣକାରୀ ଘଟଣା……

ଡିସେମ୍ବର ୨୦୧୩ରେ ନୂଆପଡା ଓ ବରଗଡର ୩ଜଣ ଗରୀବ ପରିବାରର ନାବାଳିକା ଝିଅ ସୁଦୂର ତେଲେଙ୍ଗାନା ଯାଆନ୍ତି ଇଟାଭାଟିରେ କାମ କରିବାକୁ । ପରିବାରର ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ମୂଲ ଲାଗି ଘର ଚଳାଇବାକୁ ଏମାନେ ଯାଇଥିଲେ ପରରାଇଜ । ଜଣେ ଲେବର ଠିକାଦାରର ମାଧ୍ୟମରେ ତେଲେଙ୍ଗାନାର ଚୋପାଦାଣ୍ଡି ଗାଁରେ ଥିବା ଲିଙ୍ଗମପଲ୍ଲି କିଶାନର ଇଟାଭାଟିରେ ପହଂଚିଥିଲେ ଏମାନେ । ତିନିମାସ ପରେ, ୨୦୧୪ ମାର୍ଚ୍ଚ ୧୬ ରେ କିଶାନ ତାର ଇଟାଭାଟି ଅଫିସ ଭିତରେ ଅତି ନୃଶଂସ ଭାବେ ଏହି ତିନି ଓଡିଆ ଝିଅଙ୍କ ଭିତରୁ ଜଣଙ୍କୁ ଦୁଷ୍କର୍ମ କଲା । ନାବାଳିକାର ବାପା ଏଥିରେ ବାଧା ଦେବାରୁ ତାଙ୍କୁ ନିସ୍ତୁକ ପିଟିଥିଲା କିଶାନ । ଆଉ ଏହାର ଆଉ ମାସକ ପରେ ଏପ୍ରିଲ ୧୪ରେ ବାକି ଦୁଇ ନାବାଳିକାଙ୍କୁ ସେହି ଅଫିସ ଭିତରକୁ ଟେକି ନେଇ ସେମାନଙ୍କ ଇଜ୍ଜତ ନେଲା ।

ଗୋଟିଏ ପଟେ ପରିବାର ଆଉ ଗୋଟିଏ ପଟେ ନିଜର ସ୍ୱାଭିମାନ । ପରରାଇଜକୁ ପେଟ ପୋଷିବାକୁ ଯାଇଥିବା ୧୧ବର୍ଷ, ୧୪ବର୍ଷ ଓ ୧୬ ବର୍ଷ ବୟସର ତିନି ନାବାଳିକାଙ୍କୁ ଲୋକଲଜ୍ଜାର ଭୟ ଥିଲା ପୁଣି ପରିବାର କେମିତି ଚଳିବ ସେ ଚିନ୍ତା ବି ଥିଲା । କିନ୍ତୁ ସବୁ ପରେ ବି ସେମାନଙ୍କ ଇଜ୍ଜତ ଲୁଟିଥିବା ଦାନବକୁ ଉଚିତ ଶିକ୍ଷା ଦେବାକୁ ମନେ ମନେ ସ୍ଥିର କରିଥିଲେ ସମସ୍ତେ । କୌଶଳ କ୍ରମେ ସେମାନଙ୍କ ଭିତରୁ ଜଣେ ନାବାଳିକା ନିଜର ଭିଣୋଇଙ୍କୁ ସବୁ କଥା ଫୋନରେ କହିଲା । ଚୋପାଦାଣ୍ଡି ପୁଲିସ, ସ୍ଥାନୀୟ ଶ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗରେ ତିନିଜଣ ପିଡୀତାଙ୍କୁ ସେହି ନର୍କରୁ ଉଦ୍ଧାର କରାଗଲା ଓ ଅଭିଯୁକ୍ତ କିଶନକୁ ଗିରଫ କରାଯାଇଥିଲା । ତା ବିରୋଧରେ 376 (2) (i), 506, section 14 (1) of Child and Adolescent Labour (Prohibition and Regulation ) Act, 1986 and Under Sections 3 to 6 of POCSO Act, 2012 ଦଫା ଲଗାଯାଇଥିଲା ।

କାହାଣୀ ଏତିକିରେ ସରିନି । ଟଙ୍କାର ଲୋଭ, ମୃତ୍ୟୁର ଭୟକୁ ବି ଖାତିର କରିନଥିବା ତିନି ସାହସୀ ନାବାଳିକାଙ୍କୁ ୫ବର୍ଷର ସଂଘର୍ଷ ପରେ ଏବେ ମିଳିଛି ନ୍ୟାୟ । ଗତ ସୋମବାର ଅଭିଯୁକ୍ତ କିଶନଙ୍କୁ କରିମ୍ ନଗର ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ତା ଠାରୁ ଜୋରିମାନା ଆଦାୟ କରି ପ୍ରତ୍ୟେକ ପିଡୀତାଙ୍କୁ ଦେଢ଼ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଭିଟାମାଟି ଠାରୁ ୧୨ଶହ କିଲୋମିଟର ଦୂର କରିମ୍ ନଗର କୋର୍ଟରେ ଚାରି ଚାରିଥର ହାଜର ହୋଇ ସାକ୍ଷୀ ଓ ପକ୍ଷ ରଖିଥିଲେ ତିନି ଜଣ ଯାକ ସାହସୀ ନାବାଳିକା । ଅଭିଯୁକ୍ତ କିଶନକୁ ସଜ୍ଜା ହେବା ପରେ ତିନି ନାବାଳିକାଙ୍କ ପରିବାର ନ୍ୟାୟାଧୀଶଙ୍କୁ ଦଣ୍ଡବତ ହୋଇଛନ୍ତି । କହିଛନ୍ତି ଡେରିରେ ହେଉ ପଛେ ଆମକୁ ନ୍ୟାୟ ମିଳିଛି ।

Related Posts