କଟା ଗୋଡ ଧରି ଡାକ୍ତରଖାନା ପହଂଚିଲେ ଟ୍ରେନ ଡ୍ରାଇଭର ଆଉ ତା ପରେ…

ସତ୍ୟପାଠ ବ୍ୟୁରୋ : କଟା ଗୋଡ ଧରି ଡାକ୍ତରଖାନା ପହଂଚିଲେ ଟ୍ରେନ ଡ୍ରାଇଭର । ଏହା ଶୁଣିବାକୁ ଯେମିତି ଅଜବ ଲାଗୁଛି ଦେଖିବାକୁ ବି ସେମିତି ଅଜବ ଥିଲା । ଡାକ୍ତରଖାନା କର୍ତ୍ତୁପକ୍ଷ ବି ତାଜୁବ ହୋଇ ଯାଇଥିଲେ । ହେଲେ ବୁଝୁ ବୁଝୁ ଜଣାପଡିଲା ପୁରାକଥା । ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କର ଗୋଡ କଟିଯିବା ପରେ ଟ୍ରେନ ଡ୍ରାଇଭର ତାଙ୍କୁ ଓ ତାଙ୍କ କଟା ଗୋଡ ଧରି ଡାକ୍ତରଖାନାରେ ପହଂଚାଇଥିଲେ । ଫଳରେ ରୋଗୀଟି କମ୍ ସମୟରେ ଡାକ୍ତରଖାନାରେ ପହଂଚି ପାରିଥିଲା ।

ପୁରା ଘଟଣାଟି ଏମିତି । ଗତକାଲି ରାତି ପ୍ରାୟ ୩ଟା ୧୫ରେ ମୟୁରଭଂଜ ଜିଲ୍ଲା ଭଂଜପୁର ଷ୍ଟେସନ ଛାଡିଥିଲା ବାରିପଦା-ବାଲେଶ୍ୱର ଡିଏମ୍ୟୁ । ବାରପଦା ଷ୍ଟେସନ ଅଭିମୁଖେ ଗାଡି ଗଡିବା ବେଳକୁ ଟ୍ରେନ ଆଗରେ ପଡି ଯାଇଥିଲେ ଚିତ୍ତରଂଜନ ହାତୀ ନାମକ ଜଣେ ବ୍ୟକ୍ତି । ଟ୍ରେନ ତାଙ୍କୁ ଧକ୍କା ଦେବା ଫଳରେ ତାଙ୍କର ଦୁଇ ଗୋଡ କଟି ଯାଇଥିଲା । ତେବେ ତୁରନ୍ତ ଟ୍ରେନ ଡ୍ରାଇଭର ଗାଡି ଅଟକାଇ ତାଙ୍କୁ ସେହି ଟ୍ରେନରେ ବାରିପଦା ଷ୍ଟେସନ ଯାଏ ଆଣିଥିଲେ । ସେଠାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା ।

ତେବେ ଦୁର୍ଘଟଣାସ୍ଥଳରୁ ଗୋଟିଏ କଟା ଗୋଡକୁ ଉଦ୍ଧାର କରି ସାଙ୍ଗରେ ନେଇ ଆସିଥିଲେ ଟ୍ରେନ ଡ୍ରାଇଭର ଜଣକ । କିନ୍ତୁ ଅନ୍ଧାର ଭିତରେ ଅନ୍ୟ ଗୋଡଟି ମିଳି ନଥିଲା । ଗୁରୁତର ଚିତ୍ତରଂଜନ ଏବେ ବାରିପଦା ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତୀ ହୋଇଛନ୍ତି । ତାଙ୍କର ଅବସ୍ଥା ଗୁରୁତର ଥିବା ଡାକ୍ତର ବିଜୟ ନାରାୟଣ ରାଉତ କହିଛନ୍ତି ।

ସାଧାରଣତଃ ଧକ୍କା ଦେଇ ଚାଲିଯାଏ ଟ୍ରେନ । ଶହ ଶହ ପାସେଂଜରଙ୍କୁ ଧରି ଟ୍ରାକରେ ଗଡୁଥିବା ଏତେ ବଡ ଗାଡି ଜଣଙ୍କୁ ଧକ୍କା ଦେଇ ଅଟକିବା କ୍ୱଚିତ ଦେଖିବାକୁ ମିଳେ । ତେବେ ଗତକାଲିର ଘଟଣାରେ ଟ୍ରେନ ଡ୍ରାଇଭରଙ୍କ ମଣିଷପଣିଆକୁ ସବୁ ମହଲରେ ପ୍ରଂଶସା କରାଯାଇଛି ।

Related Posts