ପୋକସୋ ଅଦାଲତଙ୍କ ବିରଳ ରାୟ : ଦୁଷ୍କର୍ମକାରୀକୁ ୩ଥର ଆଜୀବନ କାରାଦଣ୍ଡ

ସତ୍ୟପାଠ ବ୍ୟୁରୋ : ଦୁଷ୍କର୍ମକାରୀକୁ ୩ଥର ଆଜୀବନ କାରାଦଣ୍ଡ । ତା ବି ପୃଥକ ପୃଥକ ଭାବେ ଭୋଗିବାକୁ ପଡିବ । ତା ସହ ଅତିରିକ୍ତ ୨୬ବର୍ଷ ସଜା । ଜଣେ ୭ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତକୁ ଏହି କଠୋର ଦଣ୍ଡ ଶୁଣାଇଛନ୍ତି ପୋକସୋ ଅଦାଲତ ।

ଘଟଣାଟି ଦକ୍ଷିଣ କେରଳର କୋଲ୍ଲମ୍ ଜିଲ୍ଲାର । ୨୦୧୭ ସେପ୍ଟେମ୍ବରରେ ଘଟିଥିଲା ଏହି ଜଘନ୍ୟ ଘଟଣା । ଅଭିଯୋଗ ମୁତାବକ ୭ବର୍ଷିୟା ନାବାଳିକାକୁ ତାର ଜେଜେ ମା’ ସ୍କୁଲ ନେଇ ଯାଉଥିଲେ । କିନ୍ତୁ ସେମାନଙ୍କୁ ରାସ୍ତାରେ ଅଟକାଇ ଅଭିଯୁକ୍ତ ରାଜେଶ ପୀଡିତାଙ୍କୁ ସ୍କୁଲରେ ଛାଡିଦେବ ବୋଲି କହି ନେଇ ଯାଇଥିଲା । କିନ୍ତୁ ରାଜେଶ ପୀଡିତାଙ୍କୁ ସ୍କୁଲରେ ନଛାଡି ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ତା ତଣ୍ଟିଚିପି ହତ୍ୟା କରିଥିଲା ।

ଘଟଣାର ଦୁଇଦିନ ପରେ ନାବାଳିକାର ଶବ ମିଳିଥିଲା । ସ୍କୁଲରୁ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ କରି ପ୍ରଥମେ ରାଜେଶ ସ୍କୁଲ ବିରୋଧରେ ଆନ୍ଦୋଳନ କରି ନାଟକ କରିଥିଲା । କିନ୍ତୁ ପରେ ସିସିଟିଭି ଯାଂଚରୁ ସତ ଜଣାପଡିବା ପରେ ନିଜ ଦୋଷ ସ୍ୱୀକାର କରିଥିଲା ।

ଅଦାଲତ ନିଜ ରାୟରେ ସ୍ପଷ୍ଟ ଶୁଣାଇଛନ୍ତି, ଅଭିଯୁକ୍ତ ରାଜେଶ ଯେଉଁ ଜଘନ୍ୟ ଅପରାଧ କରିଛି ସେଥିପାଇଁ ତାକୁ ମୃତ୍ୟୁଦଣ୍ଡ ହେବା ଉଚିତ୍ ଥିଲା, କିନ୍ତୁ ରାଜେଶର ବୟସକୁ ବିଚାରକୁ ନେଇ କୋର୍ଟ ତାକୁ ୩ଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୩ଟି ଯାକ କାରାଦଣ୍ଡ ତାକୁ ପୃଥକ୍ ଭାବେ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି । ଦୁଷ୍କର୍ମ, ହତ୍ୟା, ଅପହରଣ, ଅସ୍ବାଭାବିକ ଯୌନ ସମ୍ପର୍କ, ମୃତ ଶରୀରକୁ ଅସମ୍ମାନ ଏବଂ ପ୍ରମାଣ ନଷ୍ଟ କରିବା ମାମଲାରେ ତା ବିରୋଧରେ ଏହି ଦଣ୍ଡାଦେଶ ହୋଇଛି ।

Related Posts