
ସତ୍ୟପାଠ ବ୍ୟୁରୋ : ଭାରତୀୟ ନାଗରିକ କୂଲଭୂଷଣ ଯାଦବ ସମ୍ପର୍କିତ ମାମଲାରେ ନେଦରଲ୍ୟାଣ୍ଡର ହେଗ ସ୍ଥିତ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ବୁଧବାର ରାୟ ଘୋଷଣା କରିଛନ୍ତି। କୋର୍ଟଙ୍କ ରାୟ ଭାରତ ସପକ୍ଷରେ ଯାଇଥିବା ବେଳେ ପାକ୍ କାରଗାରରେ ବନ୍ଦୀ ଥିବା କୁଲଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲାଗିଛି। କୋର୍ଟଙ୍କ ରାୟକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ତେବେ ଏ ପ୍ରସଙ୍ଗରେ କୋର୍ଟ ପାକ୍ ର ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହା ସହିତ କୁଲଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶର ସାନି ତର୍ଜମା ପାଇଁ ପାକ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହେଗସ୍ଥିତ ପିସ୍ ପାଲେସରେ ବୁଧବାର ମାମଲାର ରାୟ ସାର୍ବଜନିକ ଘୋଷଣା କରାଯାଇଥିଲା। କୋର୍ଟଙ୍କ ନ୍ୟାୟାଧୀଶ ଅବଦୁଲକାବି ଅହମ୍ମଦ ୟୁସୁଫ ରାୟ ପଢି ଶୁଣାଇଥିଲେ। ଯେଉଁଥିରେ କୋର୍ଟଙ୍କ ୧୬ ନ୍ୟାୟାଧୀଶଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଥିଲେ । ପାକିସ୍ତାନ ଭିଏନା ଚୁକ୍ତି ଉଲ୍ଲଂଘନ କରିଛି ବୋଲି କୋର୍ଟ ଟିପ୍ପଣୀ ଦେଇଥିଲେ । ତେବେ ଯାଦବଙ୍କ ମୁକ୍ତି ଲାଗି ଭାରତର ଆବେଦନକୁ କୋର୍ଟ ଖାରଜ କରିଦେଇଥିବା ବେଳେ ତାଙ୍କୁ ଭେଟିବାକୁ ଭାରତୀୟ କନସୁଲେଟଙ୍କୁ ଅନୁମତି ଦେବା ନିମନ୍ତେ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି।