ଗୋଈଠା ମାରି ବିଷ୍ଣୁ ହେଲେ ନୀତିଶେଖର

ସତ୍ୟପାଠ ବ୍ୟୁରୋ : ସାମ୍ବାଦିକଙ୍କୁ ଧକ୍କା ମାରିଲେ କେନ୍ଦ୍ରାପଡା ଏସପି ନୀତିଶେଖର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ ବେଳେ ସର୍ବ ସାଧାରଣରେ ଦୁର୍ବ୍ୟବହାର ଦେଖାଇଲେ । କିନ୍ତୁ ପରେ ଏକ ହ୍ୱାଟସଆପ ଗୃପରେ ସେଭଳି କିଛି କରିନାହିଁ ତଥାପି ଦୁଃଖିତ କହି ପ୍ରତିକ୍ରିୟା ରଖିଛନ୍ତି ଏସପି । ଯାହାକୁ ନେଇ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏସପି ଗୋଈଠା ମାରି ବିଷ୍ଣୁ ହେଉଛନ୍ତି ବୋଲି କହିଛନ୍ତି ସାମ୍ବାଦିକ ।

ବୁଧବାର ପାଟକୁରା ଗସ୍ତରେ ଯାଇ ବିଜେଡି ପାଇଁ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ । ଏହାର କଭରେଜ୍ ପାଇଁ ବାରିମୂଳ ଠାରେ ଉପସ୍ଥିତ ଥିଲେ ସାମ୍ବାଦିକ ଅଜେଶ ମଲ୍ଲିକ । କିନ୍ତୁ କୌଣସି କାରଣରୁ ଭିଡ ନିୟନ୍ତ୍ରଣ କରୁଥିବା କେନ୍ଦ୍ରାପଡା ଏସପି ନୀତିଶେଖର ସାମ୍ବାଦିକଙ୍କୁ ଧକ୍କା ମାରି ମାଡ ମାରିବାକୁ ହାତ ଉଠାଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଈରାଲ ହୋଇଛି । ପରେ ଏକ ହ୍ୱାଟସଆପ୍ ଗୃପରେ ଏ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ଏସପି ନୀତି ଶେଖର ।

“ମୋର ସାମ୍ବାଦିକଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି ଏବଂ ଏହା ଆଦୌ ଉଦ୍ଦେଶ୍ୟମୂଳକ ନୂହେଁ । ତଥାପି ଯଦି କାହାକୁ ଏହା ଆଘାତ ଦେଇଥାଏ ସେଥିପାଇଁ ମୁଁ ଦୁଃଖିତ”- ନୀତିଶେଖର ,ଏସପି, କେନ୍ଦ୍ରାପଡା

“କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଏଭଳି ଆଚରଣ ନିନ୍ଦନୀୟ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା ଉପରେ ବିବୃତି ରଖନ୍ତୁ”- ସତ୍ୟପ୍ରକାଶ ନାୟକ, ପିସିସି ମିଡିଆ ସେଲ ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ

ଏ ଘଟଣାରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଛି । ଆଜି କେନ୍ଦ୍ରାପଡାର ସାମ୍ବାଦିକ ମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି ।

ତେବେ ଏ ସଂପର୍କରେ ସାମ୍ବାଦିକ ଅଜେଶ ମଲ୍ଲିକ କିମ୍ବା ସଂପୃକ୍ତ ଖବର ସରବରାହ ସଂସ୍ଥାର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।
Related Posts