୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍‌ ୩୦୦ କୋଟି, ଅର୍ଥ ସବ୍‌କମିଟି ବୈଠକରେ ମଞ୍ଜୁରି

ଭୁବନେଶ୍ୱର,୨୧/୩(ସତ୍ୟପାଠ ବ୍ୟୁରୋ): ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅଟକଳ ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ଆଲୋଚନା କରାଯାଇଛି । ଆଗାମୀ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦିତ କରାଯିବ।ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୩୦୦ କୋଟି ୭୯ ଲକ୍ଷ ଟଙ୍କାର ବଜେଟ୍‌ ପ୍ରସ୍ତୁତ ‌ହୋଇଛି। ଏଥିରେ ୨୬୨ କୋଟି ୪୯ ଲକ୍ଷର ବ୍ୟୟ ଅଟକଳ କରାଯାଇଛି। ତେବେ ୩୮କୋଟି ୩୦ ଲକ୍ଷ ଟଙ୍କାର ବଳକା ବଜେଟ ପ୍ରସ୍ତୁତ କରାଯାଇଛି ।

ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆୟ ୧୮୭.୭୩ କୋଟି ଓ ପୁଞ୍ଜି ଆୟ ୧୧୩.୦୬ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିଭଳି ରାଜସ୍ବ ଖର୍ଚ୍ଚ ୧୪୩.୩୪ କୋଟି ଓ ପୁଞ୍ଜି ଖର୍ଚ୍ଚ ୧୧୯.୧୫ କୋଟି ଟଙ୍କା ଧାର୍ଯ୍ୟ ହୋଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଅର୍ଥ ସବ୍‌କମିଟି ମଞ୍ଜୁର କରିଥିବା ପ୍ରମୁଖ ଆୟ ହେଲା, ଖଣିଖାଦାନରୁ ୧୫ କୋଟି, ହୁଣ୍ଡି ଓ ଦାନ ଅର୍ଥରୁ ୩୧.୩୯ କୋଟି, କର୍ପସ ପାଣ୍ଠି, ମୂଳ ପାଣ୍ଠି ଓ ଶ୍ରୀମନ୍ଦିର ପାଣ୍ଠିରୁ ୬୦.୩୨ କୋଟି, ଜମି ଅଧିଗ୍ରହଣ କ୍ଷତିପୂରଣରୁ ୫୦ କୋଟି, ସରକାରୀ ଅନୁଦାନ ବାବଦକୁ ୧୧୮.୯୪ କୋଟି, ଭକ୍ତ ନିବାସରୁ ୧୦.୩୦ କୋଟି, ଅନ୍ୟାନ୍ୟ ବାବଦରୁ ୧୪.୮୪ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି।

ସେହିଭଳି ପ୍ରମୁଖ ରାଜସ୍ବ ଖର୍ଚ୍ଚ ଉପରେ ନଜର ପକାଇଲେ, ରଥଯାତ୍ରା ଓ ସ୍ନାନଯାତ୍ରାରେ ୧୬.୬୨ କୋଟି, ଦୈନିକ ପାଳିଆ ପୁରସ୍କାର ବାବଦକୁ ୧୮ କୋଟି, ପିଣ୍ଡିକା, ପରିମାଣିକ ଓ ଭିତରକାଠ ଦର୍ଶନ ବାବଦକୁ ୭ କୋଟି, ନୀତିକାନ୍ତି ପାଇଁ ୮.୮୯‌ କୋଟି, ପ୍ରଶାସନିକ ଖର୍ଚ୍ଚ ପାଇଁ ୩୦.୫୬ କୋଟି, କର୍ମଚାରୀଙ୍କୁ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ସହ ପରିମଳ କର୍ମଚାରୀଙ୍କ ଖର୍ଚ୍ଚ ବାବଦକୁ ୪୫.୯୩ କୋଟି, ସେବକ ସ୍ବାସ୍ଥ୍ୟ ବୀମା ପାଇଁ ୫ କୋଟି, ସେବକ ମଙ୍ଗଳ(ପେନସନ୍‌, ମେଧାବୃତ୍ତି ଆଦି) ପାଇଁ ୨୬.୦୮ କୋଟି, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଏହାର ପ୍ରଚାରପ୍ରସାର, ଦାନ ଆଦି ପାଇଁ ୩.୦୭ କୋଟି, ମୂଳପାଣ୍ଠି ଜମା ବାବଦକୁ ୨୧.୫୦ କୋଟି, କର୍ପସ ପାଣ୍ଠି ଜମା ପାଇଁ ୫୯.୪୬ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦ ଦାନ ପାଇଁ ୧୭ଲକ୍ଷ, ସେବକ ମଙ୍ଗଳ ପାଣ୍ଠି ପାଇଁ ୫ କୋଟି, ଅନ୍ୟାନ୍ୟ ବାବଦକୁ ୧.୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଅର୍ଥ ସବ କମିଟିର ସଦସ୍ୟ ଯୋଗଦେଇଥିଲେ।

ତେବେ ଗତ ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ବଜେଟ ପାରିତ ହୋଇଥିଲା।

Related Posts