ବିଡ଼ିଓଙ୍କ ବଦଳି ଦାବିରେ ସିପିଆଇଏମ୍ ପକ୍ଷରୁ ୧୨ ଘଣ୍ଟିଆ କୋଇଡା ବନ୍ଦ୍

ଭୁବନେଶ୍ୱର,୨୧/୩(ସତ୍ୟପାଠ ବ୍ୟୁରୋ): ବିଡ଼ିଓଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ କୋଇଡା ବନ୍ଦ୍ । ସିପିଆଇଏମ୍ ପକ୍ଷରୁ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ୍ ଡାକରା ଦିଆଯାଇଛି। ତେବେ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଆଠ ଦିନ ହେଲା ବିକ୍ଷୋଭକାରୀଙ୍କ ବିକ୍ଷୋଭ ଜାରି ରହିଛି । ଏହା ବ୍ୟତୀତ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଏହି ପ୍ରସଙ୍ଗ ଉଠାଇ ବିଧାନସଭାରେ ଧାରଣା ଦେଇଥିଲେ ଏହାସତ୍ତ୍ୱେ ପ୍ରଶାସନ କୌଣସି ନିଷ୍ପତ୍ତି ନ ନେବାରୁ ଆନ୍ଦୋଳନ ତେଜିବାରେ ଲାଗିଛି।

ଏହି ବନ୍ଦ ପ୍ରଭାବରେ କୋଇଡା ଅଞ୍ଚଳର ସମସ୍ତ ଖଣିରୁ ପରିବହନ ବନ୍ଦ ରହିଛି। ଏହା ବ୍ୟତୀତ ବ୍ଲକ କାର୍ଯ୍ୟଳୟ, ତହସିଲ କାର୍ଯ୍ୟାଳୟ, ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ଜାତୀୟ ରାଜପଥ ବନ୍ଦ ରଖିବାକୁ ସିପିଆଇଏମ୍ ଡାକରା ଦେଇଛି । ହେଲେ ବନ୍ଦ ସମୟରେ ଜରୁରୀକାଳୀନ ସେବା ସହିତ ସ୍କୁଲ କଲେଜ ଏବଂ ସମସ୍ତ ଶିକ୍ଷା ଅନୁଷ୍ଠାନ ବସ୍‌ ଚଳାଚଳ ଜାରି ରହିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ବିଡିଓ ଭାବେ ପଲ୍ଲବୀ ରାଣୀ ରାଜ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଏଠାରେ କାର୍ଯ୍ୟରତ ଅଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରି ନ ଥିବା ଅଭିଯୋଗ ହୋଇଛି। ବିଡ଼ିଓଙ୍କ ନାମରେ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଡିଓ ୩ ବର୍ଷ ହେଲା କୋଇଡ଼ାରେ ଥିବା ବେଳେ ୧୫ଟି ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାମ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି। ବିଡିଓ ୧୫ଟି ପଞ୍ଚାୟତରେ କାମର ବିଲ ପଇଠ ନ କରିବା ଓ ବିଭିନ୍ନ ପ୍ରକଳ୍ପଗୁଡିକ ମଞ୍ଜୁରୀ କରାଇ ନଦେବା ଫଳରେ କୋଟି କୋଟି ଟଙ୍କା ସରକାରୀ ତାହାବିଲରେ ପଡିରହିଛି ।

ଏମିତିକି ବିଡିଓ ସରକାରୀ ଦଳ ସହିତ ମିଶି ବ୍ଳକରେ ରାଜନୀତି କରିବା ସହ ନିଜ ଭାଇ ଏବଂ ମା’ଙ୍କ ନାମରେ ବ୍ଲକରେ ଠିକା ସଂସ୍ଥା ଚଳାଇବା ଓ ତଳତଳିଆ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଭଳି ବିଧାୟକ ଅଭିଯୋଗ ଆଣିଛନ୍ତି । ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ଲକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସରପଞ୍ଚମାନଙ୍କୁ ସେ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ତେଣୁ ବିଡିଓଙ୍କ ବଦଳି ଦାବିରେ ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି।

Related Posts