ଦର୍ଶନ ଦିଅ ଭଗବାନ, ହାଇକୋର୍ଟରେ ଭକ୍ତ

ଭଗବାନଙ୍କ ଦର୍ଶନ ପାଇଁ ଭକ୍ତ ଏବେ ବ୍ୟାକୁଳ ସେଥିପାଇଁ ହାଇକୋର୍ଟରେ ରୁଜୁ ହେଲା ମାମଲା । ୧୦୦ ଦିନରୁ ଅଧିକ ହେବ ବନ୍ଦ ପଡ଼ିଛି ମଠ, ମନ୍ଦିର । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ସମସ୍ତ ଦେବା ଦେବୀଙ୍କ ମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ପୁରୀର ତ୍ରୀଲୋଜନ ରଥଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଅନୁସାରେ ଧର୍ମାନୁଷ୍ଠାନ ଖୋଲା ରହିପାରିବ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ରର ନିୟମାବଳୀ ଅନୁସାରେ ଧର୍ମାନୁଷ୍ଠାନ ଖୋଲା ରହିପାରିବ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ନିୟମାବଳୀ ଉଲଙ୍ଘନ କରି ଜୁଲାଇ ୩୧ରେ ଜାରି କରିଥିବା ନିୟମାବଳୀରେ ପୂର୍ବଭଳି ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ମେ ୩୦ ନିୟମାବଳୀର ଉଲଙ୍ଘନ । ରାଜ୍ୟ ସରକାର ମଦ ଦୋକାନଠୁ ଆରମ୍ଭ କରି ସପିଂ ମଲ୍ ଖୋଲିବାକୁ ଅନୁମତି ଦେଇ ସାରିଛନ୍ତି । ଏଥିସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ମଧ୍ୟ କଟକଣା ନିୟମ ମାନି ଜାରି ରଖିବାକୁ ଅନୁମତି ମିଳିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର କୋଭିଡ଼ ୧୯ ନିୟାମବଳୀ ଓ କେନ୍ଦ୍ର ସରକାରଙ୍କନିୟମ ପାଳନ କରି ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାରେ କିଛି ବାଧା ନାହିଁ ବୋଲି ଆବେଦନରେ ଦର୍ଶାଇଛନ୍ତି । ମନ୍ଦିରରେ କଟକଣା ମଧ୍ୟରେ ଦର୍ଶନ ପାଇଁ ଅନୁମତି ନଦେବା ଭକ୍ତଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ କରୁଛି । ଏଥି ସହିତ ଜୁଲାଇ ୩୧ରେ ସୁପ୍ରିମକୋର୍ଟ ନିଶିକାନ୍ତ ଦୁବେ ବନାମ କେନ୍ଦ୍ର ସରକାର ମାମଲାରେ ପ୍ରଦାନ କରିଥିବା ରାୟ ପ୍ରସଙ୍ଗରେ ଆବେଦନ ଉଲ୍ଲେଖ କରାଯିବା ସହିତ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବ୍ୟବସ୍ଥାରେ କିଛି ଆଇନଗତ ବାଧା ନାହିଁ ବୋଲି ଦର୍ଶାଯାଇଛି । ଜଗନ୍ନାଥ ମନ୍ଦିର ସହିତ ଅନ୍ୟ ସମସ୍ତ ଦେବାଦେବୀ ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାକୁ ତୁରନ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏଥିସହିତ ଜୁଲାଇ ୩୧ରେ ରାଜ୍ୟ ସରକାର ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ଉପରେ ଜାରି କରିଥିବା କଟକଣା ସଂପର୍କିତ ନିୟମକୁ ରଦ୍ଦ କରନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିସନର, ଦେବୋତ୍ତର କମିସନର, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି ।

Related Posts