ନୂଆଦିଲ୍ଲୀ: ୨ ବୟସ୍କଙ୍କ ପ୍ରେମ ସମ୍ପର୍କକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟଙ୍କ କହିବା ମୁତାବକ, ଜୀବନସାଥୀ ଚୟନ, ସମ୍ପର୍କ, ପ୍ରେମ ସମ୍ବନ୍ଧ, ବ୍ୟକ୍ତିଗତ ଅନ୍ତରଙ୍ଗ ଇଚ୍ଛା, ୨ ବୟସ୍କଙ୍କ ମଧ୍ୟରେ ମାନବୀୟ ସମ୍ପର୍କ ମଧ୍ୟରେ କୌଣସି ବାହାର ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ ।

ଏହି ମାମଲାରେ କୋର୍ଟ ଆବେଦନକାରୀ ଯୁବକ ଓ ତାଙ୍କ ପତ୍ନୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଦୁଇଜଣ ସାବାଳକ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାର କାହାର ଅଧିକାର ନାହିଁ । ସନ୍ଦୀପ କୁମାର ଓ ଅନ୍ୟମାନଙ୍କ ହାବିସ୍ କର୍ପସ ଆବେଦନ ଉପରେ ହାଇକୋର୍ଟର ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବାସ୍ତବରେ ବାଗପତର ବାସିନ୍ଦା ସନ୍ଦୀପ କୁମାର ପତ୍ନୀଙ୍କୁ ତାଙ୍କ ବାପା ଘରେ ବନ୍ଦୀ କରି ରଖିଥିବା ଅଭିଯୋଗ କରିଥିଲେ । ପତ୍ନୀଙ୍କ ପରିବାର ସଦସ୍ୟ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଯୁବକ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କୋର୍ଟ ଉକ୍ତ ଝିଅକୁ ଡକାଇଥିଲେ । କୋର୍ଟରେ ହାଜର ହୋଇ ମହିଳା କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି । ଯୁବତୀଙ୍କ ବିବୃତ୍ତି ପରେ କୋର୍ଟ ଆବେଦନକାରୀଙ୍କୁ ତାଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ପରିବାର ସଦସ୍ୟ ଉଭୟଙ୍କ ଜୀବନରେ କୌଣସି ପ୍ରକାରର ହସ୍ତକ୍ଷେପକୁ ବାରଣ କରିଛନ୍ତି ।

କୁହାଯାଉଛି ଯେ ଉଭୟ ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଛନ୍ତି । ସେମାନେ ଉଭୟ ମଧ୍ୟ ବିବାହ କରିଛନ୍ତି ।