ଅଶାନ୍ତ ବ୍ରଜରାଜନଗର: ଗ୍ୟାଙ୍ଗୱାର ପରେ ପୋଲିସର ଏନ୍‌କାଉଣ୍ଟର

(ସତ୍ୟପାଠ ବ୍ୟୁରୋ): ଅଶାନ୍ତ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହର । ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଗତକାଲି ସହରରେ ଗ୍ୟାଙ୍ଗୱାର ପରେ 4 ଦୁର୍ବୃତ୍ତଙ୍କୁ ଏନ୍‌କାଉଣ୍ଟର କରିଛି ପୋଲିସ । ଗତ 4 ମାସ ମଧ୍ୟରେ ସହରରେ ତିନି ତିନି ଥର ଗୁଳି ଫୁଟିଛି । ପୂର୍ବରୁ ଗୁଳିକାଣ୍ଡରେ 2 ଜଣ ପ୍ରାଣ ଯାଇଛି । ପୋଲିସକୁ ଅପରାଧୀଙ୍କ ଏଭଳି ଖୋଲା ଚ୍ୟାଲେଞ୍ଜ ଲୋକଙ୍କୁ ଭୟଭୀତ କରିଛି । ଗତ ଦେଢ ମାସ ମଧ୍ୟରେ ପୋଲିସ 3ଟି ଏନକାଉଣ୍ଟର କରିଥିଲେ ବି ଅପରାଧ ରୋକିବାରେ ସଫଳ ହୋଇନାହିଁ ।  5-ଟି ଜରିଆରେ ଭଲ ବ୍ୟବହାରକୁ ଗୁରୁତ୍ବ ଦେଉଥିବା ପୋଲିସ ବୋଧେ ଅପରାଧ ଓ ଅପରାଧୀଙ୍କ କଥା ସମ୍ପୂର୍ଣ୍ଣ ଭୁଲିଯାଇଛି ।

ସୂଚନା ଅନୁଯାୟୀ ଗତ ଜୁନ 24 ତାରିଖରେ ବସଷ୍ଟାଣ୍ଡ ନିକଟରେ ରାତି 9ଟାରେ ଦୁର୍ବୃତ୍ତମାନେ ଗୁଳିମାଡ କରି ଅମିତ ଧଳଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରେ ଅମିତର ସହଯୋଗୀ ଓ ସଂପର୍କୀୟମାନେ ହତ୍ୟାକାଣ୍ଡର ବଦଲା ନେବାକୁ ସୁଯୋଗ ଖୋଜୁଥିଲେ । ସେତବେଳର ହୋଇଥିବା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୋନୁ ଘୋଷ ଏବେ ଜେଲରେ ଥିବାରୁ ତା ଭାଇକୁ ଟାର୍ଗେଟ କରି ଗତ ରାତିରେ ଗୁଳି କରିଛନ୍ତି ଅମିତ ଧଳର ସଂପର୍କୀୟ ଗୋଷ୍ଠୀ । CCTVରେ କଏଦ ହୋଇଥିବା ଦୃଶ୍ୟକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ଯେ କିଭଳି ପୂର୍ବରୁ ପ୍ରସ୍ତୁତି ହୋଇ ସ୍ୱର୍ଗୀୟ ଅମିତ ଧଳର ସଂପର୍କୀୟ ଭାଇ ଅନନ୍ତ ଧଳ ଓରଫ ଭୀମା ବ୍ରଜରାଜନଗର ସହରରେ ଥିବା ଲକ୍ଷ୍ମୀ କାଫେ ହୋଟେଲରେ ଛିଡ଼ା ହୋଇଥିବା ମଣ୍ଟୁକୁ ପ୍ରଥମେ ଧକ୍କା ଦେବା ପରେ ତା’ ପେଟକୁ ଗୁଳି ମାରିଥିଲେ । ମଣ୍ଟୁ ତଳେ ପଡିଯିବା ପରେ ଅତି ନିକଟରୁ ତା’ ମୁଣ୍ଡକୁ 3 ରାଉଣ୍ଡ ଗୁଳି ମାଡ଼ କରି ଦବଙ୍ଗ ଷ୍ଟାଇଲରେ ଅନ୍ୟମାନଙ୍କୁ ଭୟଭୀତ କରି ଫାଙ୍କା ଗୁଳି କରି ହୋଟେଲରୁ ବାହାରି ପଳାଇଥିଲେ । ଭୀମାର ଅନ୍ୟ ଜଣେ ସହଯୋଗୀ ମଧ୍ୟ ମଣ୍ଟୁ ଉପରକୁ ଗୁଳି ଚଳାଇଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି | ମୋଟ 7 ରାଉଣ୍ଡ ଗୁଳି ଫୁଟିଥିବା ପୋଲିସ ସ୍ପଶ୍ଟ କରିଛି । ଘଟଣା ଘଟିବା ପରେ ଗୁରୁତର ମଣ୍ଟୁକୁ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳଯରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଗୁଳିକାଣ୍ଡ ପରେ ପୋଲିସ ବ୍ରଜରାଜନଗରକୁ ଚାରିଆଡୁ ସିଲ କରିଦେଇଛି । ଅଭିଯୁକ୍ତ ମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହ ମୁଁହାମୁହିଁ ହୋଇ ଥିଲେ ଅପରାଧୀ । ପୋଲିସ ଉପରକୁ ଅଭିଯୁକ୍ତ ମାନେ ଗୁଳିମାଡ଼ କରିବାରୁ ପୋଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ 4 ଅପରାଧୀ ଆହତ ହୋଇଥିବା ବେଳେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି ।  ଆହତ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ଘଟଣାରେ 4 ଜଣ ସାମିଲ ଥିବାବେଳେ ସମସ୍ତଙ୍କୁ ଗିରଫ କରାଯାଇଥିବା କହିଛି ପୋଲିସ ।

ବ୍ରଜରାଜନଗର କୋଇଲା ଖଣି ଅଞ୍ଚଳ ହୋଇଥିବାରୁ ସେଠାରେ ସବୁବେଳେ ନିଜ ନିଜର ପତିଆରା ଦେଖାଇବାକୁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଗୁଳିମାଡ଼ ଘଟଣା ନୁଆ ନୁହେଁ । କିନ୍ତୁ ଗତ 4 ମାସ ମଧ୍ୟରେ ଶତ୍ରୁତା ଏପରି ବଢିଛି ଯେ ଗଡିଲାଣି ଦୁଇଟି ମୁଣ୍ଡ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଥିଲେ|ଏହି ସବୁ ମାମଲାରେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଓ ତାର ସହଯୋଗୀ ଜେଲରେ ଥିବା ବେଳେ ଅନ୍ୟ ଗୋଷ୍ଠୀର ମଧ୍ୟ କିଛି ଅପରାଧୀ ଜେଲରେ ରହିଛନ୍ତି । କିନ୍ତୁ ଗତ 4 ମାସ ମଧ୍ୟରେ ଯେଭଳି ଭାବେ ଅପରାଧୀ ଗୁଳି ଫୁଟାଇ ସହରରେ ବେଧଡ଼କ ବୁଲୁଛନ୍ତି । ତାହା ସମସ୍ତଙ୍କ କରିଛି ଭୟଭୀତ । ପୋଲିସର ଅପାରଗତାକୁ ଦାୟୀ କରିବା ସହ ଆଗକୁ ଯେପରି ଆଉ ଅପରାଧ ନଘଟେ ସେଥିପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ । ଆଜି ଏହି ଘଟଣାରେ ପୋଲିସକୁ ପ୍ରାଥମିକ ସଫଳତା ମିଳିଥିଲେ ମଧ୍ୟ ଆଗକୁ ଅପରାଧୀମାନେ ସତର୍କ ହେବାକୁ ଚେତାବନୀ ଶୁଣାଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ହମାଂଶୁ ଲାଲ । ବ୍ରଜରାଜନଗରରେ ଅପରାଧୀମାନେ ଗ୍ୟାଙ୍ଗୱାର ଆରମ୍ଭ କରିଛନ୍ତି କିନ୍ତୁ ଆମେ ଶେଷ କରିବୁ ବୋଲି ଚେତାବନୀ ଦେଇଛନ୍ତି ଡିଆଇଜି । କୋଇଲା ବ୍ୟବସାୟକୁ ନେଇ ଗ୍ୟାଙ୍ଗୱାରର ଆରମ୍ଭ ବୋଲି ଡିଆଇଜି ସ୍ପଷ୍ଟ କରିବା ସହ ଚାରି ଅଭିଯୁକ୍ତ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର,ନିକି ସିଂ, ରଫିକ ଅନସାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଗୋଟିଏ ଦେଶୀ ପିସ୍ତଲ ସହ 2ଟି ଗୁଳି ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍‌କୁ ଜବତ କରି ତଦନ୍ତ ଚଳାଇଛି ପୋଲିସ । କୋଇଲା ବ୍ୟବସାୟ ଓ ଠିକା କାମକୁ ନେଇ ବ୍ରଜରାଜନଗର ଅଶାନ୍ତ ହୋଇପଡିଥିବା ବେଳେ ବେଲଗାମ ଆଇନଶ୍ରୁଙ୍ଖଳା ପରିସ୍ଥିତି ଉପରେ କିଭଳି  ଲଗାମକୁ ଆଣିବ ତାହା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ।

Related Posts