ମଦ ପ୍ରାଥମିକତା: ଏଠି ବି 5-ଟି

(ସତ୍ୟପାଠ ବ୍ୟୁରୋ) ଅବକାରୀ ବିଭାଗରେ କାର୍ଯ୍ୟକାରୀ ହେବ 5-ଟି । ରାଜ୍ୟରେ ବନ୍ଦ ଥିବା ମଞ୍ଜୁରୀପ୍ରାପ୍ତ ମଦ ଦୋକାନଗୁଡିକୁ ପୁନଃକାର୍ଯ୍ୟକ୍ଷମ କରାଯିବ । ଏହା ସହ ମଦ ବିକିବା ପାଇଁ ବୈଷୟିକ ଜ୍ଞାନକୌଶଳ ମଧ୍ୟ ପ୍ରୟୋଗ କରାଯିବ । ଅବକାରୀ ରାଜସ୍ୱ ଆଦାୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ଏଭଳି କହିଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଅବାକରୀ ବିଭାଗର ତ୍ରୟମାସିକ ସମୀକ୍ଷା ବୈଠକରେ ସରକାରଙ୍କ 5-ଟି କାର୍ଯ୍ୟକ୍ରମକୁ ବିଭାଗରେ ରୂପାୟନ ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ । ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ, କମ୍ପ୍ୟୁଟରୀକରଣ ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟକୁ ଲୋକାଭିମୁଖୀ, ସ୍ୱଚ୍ଛ ଓ ଉତ୍ତରଦାୟୀ କରାଯିବାକୁ ବି କହିଛନ୍ତି । ଏହା ଛଡ଼ା ମଦମୃତ୍ୟୁ ରୋକିବା ପାଇଁ ଅବକାରୀ ଧରପଗଡ଼କୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ୱିତ କରାଯିବ ବୋଲି କୁହାଯାଇଛି । ଅବକାରୀ ଅଧିକାରୀମାନେ ପ୍ରତ୍ୟେକ ମାସ ମଦ ଦୋକାନଗୁଡ଼ିକୁ ନିୟମିତ ଯାଇ ଅଣଶୁଳ୍କ, ବିଷାକ୍ତ, ବେନିୟମ, ଚୋରରା ମଦ୍ୟବିକ୍ରି ଉପରେ ତୀକ୍ଷଣ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାଡ୍‍ ଓ ଅଧିକାରୀଙ୍କ ସହଯୋଗରେ ଗଞ୍ଜେଇ ଚାଷ ନଷ୍ଟ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହ କୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବେ ପାଳନ କରିବା ସହ ଅବକାରୀ ଧରପଗଡକୁ ତ୍ୱରାନିତ କରି ଚୋରା ମଦ, ବିଷାକ୍ତ ମଦ, ଅଣଶୁଳ୍କ ମଦ୍ୟ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ତଥା ଗଞ୍ଜେଇ, ଅଫିମ, ବ୍ରାଉନ ସୁଗାର ଆଦି ମାରାତ୍ମକ ନିଶାଗୁଡ଼ିକୁ ସମୂଳେ ବିଲୋପ ପାଇଁ କହିଛନ୍ତି ।

ଅବକରୀ ବିଭାଗକୁ ବି ଛାଡ଼ିବେନି 5-ଟି ସାର୍ । ଏଠି ବି ସାର୍‌ଙ୍କ ରାଜୁତି ପାଇଁ ଆରମ୍ଭ ପ୍ରସ୍ତୁତି ହୋଇଗଲାଣି । ଏହାର ସଙ୍କେତ ଦେଇଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅବକରୀ ବିଭାଗରେ 5-ଟି କାର୍ଯ୍ୟକ୍ରମକୁ ଲାଗୁ କରିବା ନିଷ୍ପତ୍ତି ଉପରେ ଉଠିଛି ଅନେକ ପ୍ରଶ୍ନ ।

ମଦ ବିକିବାକୁ ରାଜ୍ୟ ସରକାରଙ୍କ ଟିମ୍‌ ୱାର୍କ

ମଦ ବେପାର ପାଇଁ ବ୍ୟବହାର ହେବ ଟେକ୍‌ନୋଲୋଜି

ଆଗକୁ ସରକାର ଘରେ ଘରେ ଯାଇ ମଦ ବିକିବେ କି ?

ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଏବେ ଖପ୍ପା ବୁଦ୍ଧିଜୀବୀ । ସେମାନଙ୍କ କହିବା କଥା ସରକାର ନିଜେ ମଦୁଆ ହୋଇଯାଇଛନ୍ତି । ମଦ ନିଶା ଏବେ ସରକାରଙ୍କୁ ଘାରିଛି ନଚେତ ଏଭଳି ନିଷ୍ପତ୍ତି କେବେ କୌଣସି ସ୍ବଚ୍ଛ ଏବଂ ଲୋକାଭିମୁଖୀ ସରକାର ନେଇ ପାରିବେ ନାହିଁ । ପ୍ରଥମେ ମଦ ଅଧିକ ବିକିଲେ ପୁରସ୍କାର ଦେଲ । ଏବେ ରାଜ୍ୟ ଯେଉଁ କେତୋଟି ମଦ ଦୋକାନ ଖୋଲି ପାରିନି ତାକୁ ପୁଣି ଖୋଲିବାକୁ ଯୋଜନା କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ସରକାର ।  ରାଜସ୍ବ ବୃଦ୍ଧି ନାଁରେ ସରକାର ନିଜେ ମଦୁଆ ହୋଇଯାଇଥିବା କୁହାଯାଉଛି ।

Related Posts