ରାଜ୍ୟର ୫୬ ପ୍ରତିଶତ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ: ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଶାସକ ବିଜୁ ଜନତା ଦଳ ଦୀର୍ଘ ୨୨ ବର୍ଷ ଧରି କ୍ଷମତା ରହିଛି । ତଥାପି ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ ମାରିଛନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି ସରକାର । ତେବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ବିଜେପି ଏପରି କହିଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବରଂ ରାଜ୍ୟର ୩୧୪ ବ୍ଲକରୁ ୧୬୦ଟି ବ୍ଲକରେ ପାନୀୟ ଜଳ ପ୍ରକଳ୍ପ କାଗଜକଳମରେ ସୀମିତ ରହିଛି । ରାଜ୍ୟର ୫୬ ପ୍ରତିଶତ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ । ଗଞ୍ଜାମରେ ୨୩୭ଟି ପ୍ରକଳ୍ପରୁ ୧୧୩ଟି ପ୍ରକଳ୍ପ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ । ଆଦିବାସୀ ଓ ଶିଳ୍ପ ଜିଲ୍ଲା ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ମାତ୍ର ୭ ପ୍ରତିଶତ ଘରକୁ ପାଣି ଯୋଗାଣ ହୋଇଛି । ଜାତୀୟସ୍ତରରେ ୮୩ ପ୍ରତିଶତ ବିଦ୍ୟାଳୟ ଏବଂ ୭୮ ପ୍ରତିଶତ ଅଙ୍ଗନୱାଡି କେନ୍ଦ୍ରକୁ ପାନୀୟ ଜଳ ବ୍ୟବସ୍ଥା ଥିବାବେଳେ ଓଙ୍ଗ଼ିଶାରେ ୬୭ ପ୍ରତିଶତ ବିଦ୍ୟାଳୟ ଏବଂ ୫୪ ପ୍ରତିଶତ ଅଙ୍ଗନୱାଡି କେନ୍ଦ୍ରକୁ ପାନୀୟ ଜଳ ଯୋଗାଣ ହୋଇଛି । ଏପରିକି ଓଙ୍ଗ଼ିଶାର ୪୦ ପ୍ରତିଶତ ଗ୍ରାମରେ ଗ୍ରାମ ଜଳ ଓ ପରିମଳ କମିଟି ଗଠନ ହୋଇ ନାହିଁ । ୨୦୧୯ ଡିସେମ୍ବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିôବା ୧୧୦ଟି ମେଗା ଜଳ ପ୍ରକଳ୍ପ ଶେଷ ହୋଇ ନାହିଁ । ୨୦୨୧-୨୨ ଆର୍ଥିକ ବର୍ଷରେ ପାନୀୟ ଜଳ ବାବଦରେ ରାଜ୍ୟ ସରକାର ମାତ୍ର ୪୨.୦୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।

୨୦୧୯ ମସିହାରୁ ପାନୀୟ ଜଳ ପ୍ରକଳ୍ପ ବାବଦରେ ୧୨୯୮.୭୧ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ବ୍ୟବହାର କରିବାରେ ରାଜ୍ୟ ସରକାର ବିଫଳ ହୋଇଥିଲେ । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପାନୀୟ ଜଳ ବାବଦରେ ଖର୍ଚ୍ଚ ନ କରିପାରିବା କାରଣୁ ୮୩୧ କୋଟି ଟଙ୍କା ଫେରିଯିବା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ ପ୍ରମାଣିତ କରିଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ କହିଛନ୍ତି । ଅନ୍ୟପଟେ ରାଜ୍ୟର ସବୁ ନଦୀ, ନାଳ ଏକ ପ୍ରକାର ଶୁଷ୍କ ହେବାରୁ ଲୋକମାନେ ପିଇବା ପାଣି ଓ ଚାଷ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହିଳାମାନେ ଚୁଆରୁ ପାଣି ଆଣି ପାନୀୟ ଜଳ ଭାବେ ବ୍ୟବହାର କରିବାର ଦୃଶ୍ୟ ଅତ୍ୟନ୍ତ ଅବର୍ଣ୍ଣନୀୟ । ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟର ବହୁ ସ୍ଥାନରେ ପାଇପ ପଡ଼ି ରହିଛି । କିନ୍ତୁ ବିଜୁଳି ସଂଯୋଗ ହୋଇ ନାହିଁ । ଅନେକ ସ୍ଥାନରେ ପାଇପ ଫାଟି ଯାଇଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ସେପଟେ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ବଡ଼ ବଡ଼ ହୋର୍ଡିଂ ଓ ବିଜ୍ଞାପନ ଜରିଆରେ କେବଳ ଦଳୀୟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଅଥଚ କେନ୍ଦ୍ର ଜଳଜୀବନ ମିଶନ ଲୋଗୋ କିମ୍ବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ କୌଣସି ସୂଚନା ନାହିଁ । ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ମିଶନ ମୋଡରେ ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଯୋଜନା ହର ଘର, ନଲ ପେ ଜଳ ଯୋଜନାକୁ ରାଜ୍ୟରେ ଠିକ ଏବଂ ନିଦ୍ଧାରିତ ସମୟରେ ସମାପ୍ତ କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତକ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି ।

Related Posts