ଅକ୍ଟୋବର ୧୨ ତାରିଖରୁ ଦେଶରେ ଶୁଭାରମ୍ଭ ହେବ ୫ଜି ସେବା : ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ୫-ଜି ସେବା । ଆସନ୍ତା ଅକ୍ଟୋବର ୧୨ ତାରିଖରୁ ଦେଶରେ ୫ଜି ସେବାର ଶୁଭାରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ କିଛି ସ୍ଥାନରେ ଏହି ସେବା ଯୋଗାଇ ଦିଆଯିବାକୁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି । ପରେ ଦେଶର ବିଭିନ୍ନ ସହରକୁ ୫ଜି ସେବା ଯୋଗାଇବାର ବ୍ୟବସ୍ଥା କରାଯିବ ।ଯାହା ଫଳରେ ଇଣ୍ଟରନେଟ୍‌ ଆହୁରି ଦ୍ରୁତଗତିରେ ଚାଲିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ‘ଟେଲିକମ୍‌ କମ୍ପାନୀ ମାନେ ଦ୍ରୁତ ଗତିରେ ୫ଜି କାର୍ଯ୍ୟ ଜାରି ରଖିଛନ୍ତି । ଇନଷ୍ଟଲେସନ୍‌ ପ୍ରକ୍ରିୟା ଶେଷ ହୋଇସାରିଲାଣି । କିଛି ବୈଷୟିକ କାର୍ଯ୍ୟ ବାକି ଅଛି । ତାହା ମଧ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଅକ୍ଟୋବର ୧୨ ତାରିଖ ସୁଦ୍ଧା ଦେଶରେ ୫ଜି ସେବାର ଶୁଭାରମ୍ଭ କରିବାକୁ ଆଶାବାଦୀ ଅଛୁ’।

ଅଶ୍ବିନୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ଦୁଇରୁ ୩ ବର୍ଷ ମଧ୍ୟରେ ଦେଶର କୋଣ ଅନୁକୋଣରେ ୫ଜି ସେବା ପହଞ୍ଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ । ଗ୍ରାହକଙ୍କୁ କିଭଳି ଭାବେ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ସେ ନେଇ ଯୋଜନା କରାଯାଇଛି । ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳକୁ ୫ଜି ସେବା ଯୋଗାଇଦେବାକୁ ଫୋକସ ରଖାଯାଇଛି।

Related Posts