ବାତ୍ୟା‌ ଆନ୍ଧ୍ର ମୁହାଁ, ଓଡ଼ିଶା ସମେତ 6 ରାଜ୍ୟ ପାଇଁ ସତର୍କ ସୂଚନା

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ବାତ୍ୟାର ରୂପ ନେଉଛି । ଏଥିପାଇଁ ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ଧାନ ଅମଳ ଚାଲିଥିବାବେଳେ ରବି ଫସଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଚାଷୀଙ୍କୁ ପରାମର୍ଶ ଦେଇଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ ଓୟୁଏଟି ।

ବାତ୍ୟା ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଗୁରୁବାର ରାତି ୧୦ଟା ସୁଦ୍ଧା ଚେନ୍ନାଇଠାରୁ ୧୦୮୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର ମଚ୍ଛଲୀପଟନମ୍‌ଠାରୁ ୧୨୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଶୁକ୍ରବାର ରାତି ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଆଡ଼କୁ ଅଗ୍ରସର ହେବ ।

ଆନ୍ଧ୍ରପ୍ରଦେଶ ସମତେ ଓଡ଼ିଶା, ତା‌ମିଲନାଡ଼ୁ, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ପଶ୍ଚିମବଙ୍ଗ ଓ ପୁଡୁଚେରୀରେ ବି ବାତ୍ୟାର ପ୍ରଭାବ ପଡ଼ିପାରେ । ଏହାକୁ ଦୃଷ୍ଟିରେ ରଖି ଏହି ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଛି ଭାରତୀୟ ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହା ଗଭୀର ଅବପାତରେ ପରିଣତ ହୋଇଛି । ୧୫ ତାରିଖ ରାତିରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ହେବାର ପୂର୍ବାନୁମାନ କରାଯାଇଛି । ଶନିବାରଠାରୁ ଆନ୍ଧ୍ରପ୍ରଦେଶ ଓ ତା‌ମିଲନାଡ଼ୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଚାଷୀଙ୍କ ପାଇଁ ପରାମର୍ଶ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବି ସତର୍କ ସୂଚନା ଜାରି କରାଯାଇଛି । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବାତ୍ୟା ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

କଟା ଯାଇ ନ ଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି । ଏଥିସହ କଟାଯାଇ ଜମିରେ ଶୁଖାଯାଇଥିବା ଧାନ ବିଡ଼ାକୁ ସୁରକ୍ଷିତ ସ୍ଥାନକୁ ନେବାକୁ ପରାମର୍ଶ ଦିଆଯାଇଛି। ଶୁଖି ଯାଇଥିବା ଧାନକୁ ଅମଳ କରନ୍ତୁ । ଖଳାରେ ରହିଥିବା ବିଡ଼ାକୁ ପାଲ ଘୋଡ଼ାଇ ସୁରକ୍ଷିତ ରଖିବା ସହିତ ମଣ୍ଡିରେ ପଡ଼ି ରହିଥିବା ଧାନକୁ ଘୋଡ଼ାଇ ରଖିବାକୁ କୁହାଯାଇଛି ।

ସେହିପରି ମୁଗ, ବିରି, ବୁଟ, ମଟର, କୋଳଥ ଆଦି ଡାଲି ଜାତୀୟ ଫସଲ କରାଯାଇଥିବା ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ହରଡ଼ ଫସଲରେ ଫଳବିନ୍ଧା ପୋକ, ବର୍ଷା ଛାଡ଼ିଯିବା ପରେ ସୋରିଷ ଫସଲରେ ଜଉ ପୋକ ଲାଗିବାର ଆଶଙ୍କା ରହିଛି ।

ଏହାର ନିରାକରଣ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ସିଞ୍ଚନ କରିବାକୁ କୁହାଯାଇଛି । ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ସମ୍ପ୍ରସାରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

Related Posts