ବାଜି ପାଲଟାଇ ଦେଲେ ସାମି, 15 ରନ୍‌ ଭିତରେ 5 ୱିକେଟ୍‌ ହରାଇଲା ଅଷ୍ଟ୍ରେଲିଆ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ପର୍ଥ ଷ୍ଟାଡିୟମରେ ଜାରି ରହିଛି । ଟିମ୍‌ ଇଣ୍ଡିଆ ଆଡିଲେଡ୍‌ ଟେଷ୍ଟ ଜିତି 1-0ରେ ସିରିଜ୍‌ ଆଗୁଆ ଅଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 326 ରନ୍‌ କରିଥିଲା । ଏହା ପରେ ପ୍ରଥମ ଇନିଂସ୍‌ରେ ଭାରତ 283 ରନ୍‌ରେ ଅଲ୍‌ଆଉଟ୍‌ ହୋଇଗଲା । ଏହିପରି ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ 43 ରନ୍‌ର ଅଗ୍ରହୀ ଲାଭ କଲା । ଦ୍ବିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ 243 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି । ଫଳରେ ଭାରତ ଆଗରେ 287ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ପର୍ଥ ଟେଷ୍ଟର ଚତୁର୍ଥ ଦିନର ମଧ୍ୟାହ୍ନ ଭୋଜର ପରେ ଭାରତୀୟ ବୋଲରମାନେ କମାଲ୍‌ କରିଛନ୍ତି । ଖାସ୍‌ କରି ଭାରତୀୟ ପେସର ମହମ୍ମଦ ସାମି ବାଜି ପାଲଟାଇ ଦେଇଛନ୍ତି । ଫଳରେ କଙ୍ଗାରୁ ଟିମ୍‌ ମାତ୍ର 243 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି । ଭାରତକୁ ଦ୍ବିତୀୟ ଟେଷ୍ଟ ଜିତିବାକୁ 287 ରନ୍‌ କରିବାକୁ ହେବ ।

ଚତୁର୍ଥ ଦିନ ଅଷ୍ଟ୍ରେଲିଆର କ୍ୟାପଟେନ୍‌ ଟିମ୍‌ ପେନ୍‌ ଓ ଉସମାନ୍‌ ଖ୍ବାଜା ମଧ୍ୟାହ୍ନ ଭୋଜନ ଯାଏଁ ଅଷ୍ଟ୍ରେଲିଆକୁ କୌଣସି କ୍ଷତି ହେବାକୁ ଦେଲେ ନାହିଁ । କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଭାରତୀୟ ପେସର ମହମ୍ମଦ ସାମି ଟିମ୍‌ ପେନ୍‌ଙ୍କୁ ପ୍ୟାଭିଲିୟନ୍‌ ପଠାଇ ପେନ୍‌ ଓ ଖ୍ବାଜାଙ୍କ ଭିତରେ ହୋଇଥିବା 72ରନ୍‌ର ଭାଗିଦାରୀର ଅନ୍ତ କଲେ ।

ତା ପରେ କ୍ରିଜ୍‌କୁ ଆସିଥିଲେ ରିଟାୟାର୍ଡ ହର୍ଟ ହୋଇଥିବା ଅଷ୍ଟ୍ରେଲୀୟ ଓପନର ଆରୋନ ଫିଞ୍ଚ । ତାଙ୍କୁ ୱିକେଟ୍‌ କିପର ପନ୍ଥଙ୍କ ହାତରେ କ୍ୟାଚ୍‌ କରାଇଲେ ମହମ୍ମଦ ସାମି ।

ତାପରେ ସାମି ଉସମାନ୍‌ ଖ୍ବାଜା(72)ଙ୍କୁ ମଧ୍ୟ ଆଉଟ୍‌ କରି ନିଜର ପାଞ୍ଚ ୱିକେଟ୍‌ ପୁରା କଲେ । ସାମିଙ୍କ ବଲ୍‌ରେ ଖ୍ବାଜା ଋଷଭ ପନ୍ଥଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହେଲେ । ଯଶପ୍ରୀତ ବୁମରା ପେଟ୍‌ କମିନ୍ସଙ୍କୁ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ଅଷ୍ଟମ ଝଟ୍‌କା ଦେଲେ ।

ନାଥନ ଲିୟୋନ(5)ଙ୍କୁ ହନୁମା ବିହାରୀଙ୍କ ହାତରେ କ୍ୟାଚ୍‌ କରାଇ ସାମି ନିଜର ଷଷ୍ଠ ୱିକେଟ୍‌ ନେଲେ । ଅଷ୍ଟ୍ରେଲିଆର ପଞ୍ଚମ ୱିକେଟ୍‌ 192 ରନ୍‌ ସ୍କୋରରେ ପଡ଼ିଥିବାବେଳେ, ପରବର୍ତ୍ତୀ ମାତ୍ର 15 ରନ୍‌ ଭିତରେ କଙ୍ଗାରୁ ଟିମ୍‌ର ପାଞ୍ଚ ଜଣ ବ୍ୟାଟସମ୍ୟାନ୍‌ ପ୍ୟାଭିଲିୟନ୍‌ ଫେରିଗଲେ । ଶେଷରେ ମିସେଲ୍‌ ଷ୍ଟାର୍କଙ୍କୁ ବୋଲ୍‌ଡ କରି ବୁମରା ଅଷ୍ଟ୍ରେଲୀୟ ଇନିଂସର ଶେଷ କଲେ ।

ଏହା ପୂର୍ବରୁ ଦ୍ବିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆର ଆରମ୍ଭ ଭଲ ରହିଥିଲା । କିନ୍ତୁ ଆଙ୍ଗୁଳିରେ ଆଘାତ କାରଣରୁ ଫିଞ୍ଚ ରିଟାୟାର୍ଡ ହର୍ଟ ହୋଇଥିଲେ । ସାମିଙ୍କ ବଲ୍‌ ଫିଞ୍ଚଙ୍କ ଆଙ୍ଗୁଳିରେ ବାଜିଥିଲା ।

କୋହଲିଙ୍କ ଶତକ ବଳରେ ପ୍ରଥମ ଇନିଂସ୍‌ରେ 283 ଛୁଇଁଥିଲା ଭାରତ

ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲିଙ୍କ ଶତକ ସତ୍ବେ ମାତ୍ର 283 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ କୋହଲି ସର୍ବାଧିକ 123 ରନ୍‌ର ଇନିଂସ ଖେଳିଥିବାବେଳେ, ରାହାଣେ 51 ଓ ଋଷଭ ପନ୍ଥ 36 ରନ୍‌ କରିଥିଲେ ।
ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ କୋହଲି ନିଜ ଟେଷ୍ଟ କ୍ୟାରିୟରର 25 ତମ ଶତକ ହାସଲ କଲେ । ଅଷ୍ଟ୍ରେଲିଆ ମାଟିରେ ଏହା କୋହଲିଙ୍କର ଷଷ୍ଠ ଶତକ ଥିଲା ।

ପ୍ରଥମ ଇନିଂସ୍‌ରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ 277/6 ରନ୍‌ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଏ ଯାଏଁ ହନୁମା ବିହାରୀ ଦୁଇଟି ୱିକେଟ୍‌ ନେଇଥିବାବେଳେ ଇଶାନ୍ତ ଶର୍ମା ମଧ୍ୟ ଦୁଇ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ପ୍ୟାଭିଲିୟନ୍‌ ରାସ୍ତା ଦେଖାଇଥିଲେ । ବୁମ୍‌ରା ଓ ଉମେଶ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଭାରତ 2012 ଗସ୍ତ ସମୟରେ ମଧ୍ୟ ପର୍ଥରେ ମାତ୍ର 4 ଜଣ ବୋଲରଙ୍କୁ ନେଇ ଖେଳିଥିାଲ । ସେତେବେଳେ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି, ଜାହିର ଖାନ୍‌, ଉମେଶ ଯାଦବ, ଇଶାନ୍ତ ଶର୍ମା ଓ ଆର୍‌ ବିନୟ କୁମାରଙ୍କୁ ଖେଳାଇଥିଲେ । ବୀରେନ୍ଦ୍ର ସେହୱାଗ୍‌ ନିଜର ସ୍ପିନ୍‌ରେ ମାତ୍ର 7.2 ଓଭର ବୋଲିଂ କରିଥିଲେ । ଏବେ ବିରାଟ କୋହଲି ବି ଧୋନିଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ।

Related Posts