ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ତ ?

ସତ୍ୟପାଠ ବ୍ୟୁରୋ : ଆଇଏଏସ ଓ ଆଇପିଏସ ବାବୁ ବାବୁଆଣୀଙ୍କ ବେପରୁଆ ଖର୍ଚ୍ଚର ଲମ୍ବା ତାଲିକା ଗତ ସପ୍ତାହରେ ସତ୍ୟପାଠରେ ପ୍ରକାଶ ପାଇଥିଲା । ଏବେ ଏହି ତାଲିକାରେ ଯୋଡି ହୋଇଛି ଆଉ ଜଣେ ପ୍ରଶାସନିକ ଅଧିକାରୀଙ୍କ ନାଁ । ସୁନ୍ଦରଗଡ ଜିଲ୍ଲାପାଳ ରଶ୍ମୀତା ପଣ୍ଡା କିଭଳି ବିଳାସ ବ୍ୟସନ ପାଇଁ ସରକାରୀ ତହବିଲକୁ ମନଇଚ୍ଛା ଖର୍ଚ୍ଚ କରିଛନ୍ତି ତାହାର ଖୁଲାସା ହୋଇଛି ସୂଚନା ଅଧିକାରୀ ଆଇନ ବଳରେ ।

ବର୍ତ୍ତମାନ ସୁନ୍ଦରଗଡ ଜିଲ୍ଲାପାଳ ଥିବା ରଶ୍ମିତା ପଣ୍ଡା ରାଉରକେଲା ଉନ୍ନୟନ କର୍ପୋରେସନର ଉପାଧ୍ୟକ୍ଷା ଥିବା ବେଳେ ନିଜ ସରକାରୀ ବାସଭବନ ମରାମତି ପାଇଁ କିଭଳି ପାଣିଭଳି ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଏବେ ସର୍ବସମ୍ମୁଖରେ । କେବଳ ଘର ମରାମତି ଓ ପୁନରୁଦ୍ଧାର ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ପ୍ରାୟ ୭୦ଲକ୍ଷ ଟଙ୍କା । ତା ବି ମାତ୍ର ୬ମାସରେ । ରାଉରକେଲାର ସୂଚନାଧିକାର କର୍ମୀ ରଶ୍ମୀରଂଜନ ପାଢ଼ଈ ସୂଚନା ଅଧିକାର ବଳରେ ଏହି ତଥ୍ୟ ପାଇବା ପରେ ଗଣମାଧ୍ୟମକୁ ଜଣାଇଛନ୍ତି ।

ନା ଟେଣ୍ଡର ଡକାଯାଇଥିଲା । ନା କେହି ଜାଣିଥିଲେ । କେବଳ ନୋଟିସ ବୋର୍ଡରେ ତାରିଖ ବଦଳୁଥିଲା ଆଉ ସରକାରୀ ଖାତାରେ ବଢ଼ୁଥିଲା ରଶ୍ମୀତାଙ୍କ ବାସଭବନ ମରାମତି ଓ ପୁନରୁଦ୍ଧାର ପାଇଁ ଖର୍ଚ୍ଚର ପରିମାଣ । ଶେଷରେ ଏହି ରାଶି ୬୮ଲକ୍ଷ ୫୭ହଜାର ୯୫୦ ଟଙ୍କାରେ ବ୍ରେକ ଲାଗିଥିଲା । ମାତ୍ର ୬ମାସରେ ଗୋଟିଏ ବାସଭବନର ମରାମତି ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇଥିବା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେଉଥିବେ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ , ରଶ୍ମୀତାଙ୍କର ଉଦିତନଗରରେ ଥିବା କ୍ୱାର୍ଟର ନମ୍ବର-୪ରେ ଝରକାରେ ମଶାରୀ ବା ମଶା ଜାଲି ଲଗାଇବାକୁ ଖର୍ଚ୍ଚ ହୋଇଛି ୪ଲକ୍ଷ ୪ହଜାର ୪୭୧ ଟଙ୍କା । ଅତିରିକ୍ତ ଡାଇନିଙ୍ଗ୍ ଘରଟେ କରିବାକୁ ଖର୍ଚ୍ଚ ହୋଇଛି ୪ଲକ୍ଷ ୫ହଜାର, ପାଚେରୀର ମରାମତି ଓ ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହୋଇଛି ୪ଲକ୍ଷ ୪୨ହଜାର, ଗାର୍ଡ ରୁମ ଓ ଟଏଲେଟ ନିର୍ମାଣ ପାଇଁ ୪ଲକ୍ଷ , ବେଡରୁମ ପାଇଁ ଅତିରିକ୍ତ ଟଏଲେଟ ନିର୍ମାଣ ପାଇଁ ୩ଲକ୍ଷ ୮୫ହଜାର, ଅତିରିକ୍ତ ବେଡରୁମ ପାଇଁ ୪ଲକ୍ଷ ୩୪ହଜାର, ବୋରୱେଲ ନିର୍ମାଣ ପାଇଁ ୪ଲକ୍ଷ ୨୩ହଜାର, ପର୍ଟିକ ଓ ଡ୍ରେନ ପାଇଁ ୪ଲକ୍ଷ ୪୪ହଜାର, ଟଏଲେଟକୁ ଜଳ ଯୋଗାଣ ପାଇଁ ୪ଲକ୍ଷ ୩୯ହଜାର ଭଳି ଟଙ୍କା ଖର୍ଚ୍ଚ ହୋଇଛି ।

ବଡକଥା ହେଉଛି ଓଡିଶାକୁ ଫୋକସ୍ ଷ୍ଟେଟ ରାଜ୍ୟ ଭାବେ ଘୋଷଣା କରିବାକୁ ଦାବୀ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଦିନ ଏନେଇ ଚିଠି ଲେଖାଯାଉଛି । ରାଜ୍ୟର ଋଣ ଭାର ପହଂଚିଲାଣି ୧ଲକ୍ଷ କୋଟିରେ । ହେଲେ ନବୀନ ସରକାରର ଜଣେ ଜିଲ୍ଲାପାଳଙ୍କ ଏ ଅୟସ ଆରାମର ଚିଠା ଦେଖି ଲାଗୁଛି ଓଡିଶା ଗରୀବ ନୁହେଁ ବରଂ ଆର୍ଥିକ ସ୍ୱଚ୍ଛଳ ଥିବା ରାଜ୍ୟ । ଅବଶ୍ୟ ଏନେଇ ରଶ୍ମିତା ପଣ୍ଡା କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଖର୍ଚ୍ଚକୁ ଯୁକ୍ତିଯୁକ୍ତି କି ନୁହେଁ ସେନେଇ କୌଣସି ମନ୍ତବ୍ୟ ବା ପ୍ରତିକ୍ରିୟା ଦିଆଯାଇନାହିଁ ।

Related Posts