ବିରୋଧୀଦଳ ନେତା ପାଇଁ ଯୋଗ୍ୟ ନୁହଁନ୍ତି ପ୍ରଦୀପ : ଦାମ

ସତ୍ୟପାଠ ବ୍ୟୁରୋ : ବେଶ କିଛିଦିନର ନୀରବତା ପରେ ଫର୍ମକୁ ଫେରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ଆଉ ଆସୁ ଆସୁ ନିଜ ପାର୍ଟିକୁ ଫିଙ୍ଗିଛନ୍ତି ଗୁଗଲୀ । ବିରୋଧୀ ଦଳ ନେତା ହେବା ପାଇଁ ପ୍ରଦୀପ୍ତ ନାୟକ ଯୋଗ୍ୟ ନୁହଁନ୍ତି କହି ଭାରତୀୟ ଜନତା ପାର୍ଟିର ସର୍ବୋଚ୍ଚ ନେତାଙ୍କ ନିଷ୍ପତିକୁ ବି ଖୋଲା ଚ୍ୟାଲେଂଜ କରିଛନ୍ତି ଦାମବାବୁ । ଆଉ ଦାମଙ୍କ ଏହି ଡାଏଲଗ୍ ପରେ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ଦାମଙ୍କ ନିଶାନାରେ ବିରୋଧୀ ଦଳ ନୁହେଁ ବରଂ ନିଜ ଦଳର ମୁଖିଆ । ମୁଖିଆଙ୍କ ନିଷ୍ପତିକୁ ସମାଲୋଚନା ନୁହେଁ କଟାକ୍ଷ କଲେ ଦାମବାବୁ । ଶୁଣିବାକୁ ଅଡୁଆ ଲାଗିଲେ ବି ସତ । ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ବଛାଯାଇଛି ପ୍ରଦୀପ୍ତ ନାୟକଙ୍କୁ । କିନ୍ତୁ ନେତା ବଛା ହେବା ପୂର୍ବରୁ ଦାମ ବାବୁଙ୍କ ସହ ଶୀର୍ଷ ନେତୃତ୍ୱ ଆଲୋଚନା କରି ନଥିବାରୁ ଅଭିମାନ କରିଛନ୍ତି ଦାମ । କହିଛନ୍ତି ଏହି ପଦ ପାଇଁ ଯୋଗ୍ୟ ନୁହଁନ୍ତି ପ୍ରଦୀପ୍ତ । ରାଜନୀତିରେ ଦାମଙ୍କ ଦକ୍ଷତା ଥିଲେ ବି ତାଙ୍କ ପରାମର୍ଶ ନିଆଯାଇନି । ବିରୋଧୀ ଦଳ ନେତା ପାଇଁ ଯେଉଁ ଦକ୍ଷତା ଦରକାର ତାହା ପ୍ରଦୀପ୍ତଙ୍କ ପାଖରେ ନାହିଁ ବୋଲି କହି ଶାଣିତ ଆକ୍ରମଣ କରିଛନ୍ତି ଦାମବାବୁ ।

ଖାଲି ସେତିକି ନୁହେଁ, ଦଳ କାଉକୁ ଯଦି ଧଳା କୁହେ ତେବେ ସେଥିରେ ସେ ଏକମତ ହେବେନାହିଁ କହି ଯେଉଁ ଦଳରେ ଅଛନ୍ତି ତାକୁ ହିଁ ଚାଲେଂଜ ଦେଇଛନ୍ତି ସେ । ବିଧାନସଭାରେ ବିଜେଡି-ବିଜେପି ବିରୋଧାଭାସ ରହୁ ନଥିବାରୁ ଏହାକୁ ବି ସମାଲୋଚନା କରିବାକୁ ଭୁଲି ନାହାଁନ୍ତି ଦାମ । ରାଜନୀତିରେ ସମଦୂରତ୍ୱ ଶବ୍ଦର ମୂଲ୍ୟ କିଛି ନାହିଁ କହି ବିଜେପି-ବିଜେଡି ଭିତରେ ଅଘୋଷିତ ଗଠବନ୍ଧନ ଥିବା ବୋଧହୁଏ ସୂଚାଇବାକୁ ଚାହିଁଛନ୍ତି ଡାକ୍ତର ରାଉତ ।

ଅବଶ୍ୟ ପ୍ରଦୀପ୍ତ ନାୟକ ନିଜ ମନକୁ ମନ ବିରୋଧୀ ଦଳ ନେତା ହୋଇ ନାହାଁନ୍ତି । ଦଳର ଶୀର୍ଷ ନେତୃତ୍ୱ ଅମିତ ଶାହାଙ୍କ ମୋହର ପରେ ହିଁ ପ୍ରଦୀପ୍ତ ହୋଇଛନ୍ତି ନେତା । ଯେଉଁଦିନ ନେତା ବଛାଯାଉଥିଲା ସେହି ବୈଠକରେ ବି ଉପସ୍ଥିତ ଥିଲେ ଦାମବାବୁ । କିନ୍ତୁ ନେତା ବଛାଯିବା ପରେ ନାଖୁସ ଅଛି ଦାମ । ମନ ଭିତରେ କଣ ଚାଲୁଛି କହି ନଥିଲେ ବି ଏହା ଯେ ଦଳ ବିରୋଧରେ ତାଙ୍କର ରୋଷ ଆଉ କ୍ଷୋଭ ତାହା ଜଳ ଜଳ ହୋଇ ଦିଶିଛି ।

Related Posts