ଆଫଗାନିସ୍ତାନରୁ ଭାରତ ଆସିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କରୋନା ପଜିଟିଭ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରୁ ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ଲୋକଙ୍କ ମଧ୍ୟରେ ଜଣକ ପରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ମଙ୍ଗଳବାର ଆଫଗାନରୁ ଭାରତ ଆସିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସମସ୍ତ ୭୮ ଜଣଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ରଖାଯାଇଛି।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚିହ୍ନଟ ହେଉଥିବା ସମସ୍ତ ୧୬ ଜଣଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଉନାହିଁ। କିନ୍ତୁ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମିତ ହୋଇଥିବା ବ୍ୟକ୍ତଙ୍କ ମଧ୍ୟରେ ୩ ଜଣ ଗ୍ରନ୍ଥ ବାହାକ ମଧ୍ୟ ରହିଛନ୍ତି। ଏହି ତିନି ଜଣଙ୍କ ମଧ୍ୟରୁ ଆଫଗାନିସ୍ତାନରୁ ଗୁରୁ ଗ୍ରନ୍ଥସାହିବକୁ ଭାରତ ଆଣିଥିଲେ। ଏହି ଗ୍ରନ୍ଥକୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଦିଲ୍ଲୀ ଏୟାରପୋର୍ଟରୁ ମୁଣ୍ଡରେ ବୋହି ନେଇଥିଲେ। ତେଣୁ ସେ ମଧ୍ୟ ଭାଇରସ ସଂସ୍ପର୍ଶରେ ଆସିଥାଇ ପାରନ୍ତି ବୋଲି କୁହାଯାଉଛି।

ଭାରତ ସରକାର ଅପରେସନ ଦେବୀ ଶକ୍ତି ନାଁରେ ତାଲିବାନ ଦଖଲରେ ଥିବା ଆଫଗାନରୁ ଭାରତୀୟଙ୍କ ସହ ଅନ୍ୟ ଲୋକମାନଙ୍କୁ ଏୟାରଲିଫ୍ଟ କରୁଛନ୍ତି। ମିଳିଥିବା ସୂଚନା ମୁତାବକ ଆଫଗାନରୁ ଆସୁଥିବା ଲୋକମାନେ ଏଣିକି ଭାରତ ଆସିଲେ ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ଦିଲ୍ଲୀର ଆଇଟିବିପିର ପ୍ରତିଷ୍ଠାନରେ କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Related Posts