ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଟିକାକରଣ ୫% କମ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଅଧିକ ଡୋଜ କୋଭିଡ୍ ଟିକା ଦିଆଗଲାଣି । ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଟିକାକରଣ ହାର ହ୍ରାସ ପାଇଛି। କିନ୍ତୁ କିଛି କିଛି ଜିଲ୍ଲାରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାର ଟିକା ନେଇଛନ୍ତି । ତେବେ ରାଜ୍ୟରେ ଆଉ ୧୪ ଲକ୍ଷ ହିତାଧିକାରୀ ୨ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଥିବା ସୂଚନା ମିଳିଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୧୯ ତାରିଖ ସୁଦ୍ଧା ରାଜ୍ୟରେ ୨ କୋଟି ୩୧ ଲକ୍ଷ ୫୧ ହଜାର ୧୬୧ ଡୋଜ ଟିକା ଦିଆଯାଇଛି । ଏହା ମଧ୍ୟରୁ ୧ କୋଟି ୬୬ ଲକ୍ଷ ୮ ହଜାର ୯୭୫ ଡୋଜ ଟିକା ପୁରୁଷମାନେ ନେଇଥିବା ବେଳେ ମହିଳାମାନେ ୯୬ ଲକ୍ଷ ୪୨ ହଜାର ୪୯ ଡୋଜ ଟିକା ନେଇଛନ୍ତି । ଗଞ୍ଜାମ ଗଜପତି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଗୁଡ଼ିକରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଟିକାକରଣ ଅଧିକ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୫ ଲକ୍ଷରୁ ଅଧିକ ଏହା ପଛକୁ ଗଞ୍ଜାମରେ ୨୧ ଲକ୍ଷ କଟକରେ ୧୨ ଲକ୍ଷ ଡୋଜ ଦିଆଯାଇଛି ।

ଅନ୍ୟ ପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ହେଉଛନ୍ତି ଛୁଆ, ଯେଉଁମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ। ଗତକାଲି ଆକ୍ରାନ୍ତଙ୍କ ମଧ୍ୟରେ କେବଳ ୮୦ ଜଣ ଛୁଆ ଥିବା ବେଳେ ଆଜି ଏହି ସଂଖ୍ୟା ଶହେ ଡେଇଁଛି, ଯାହାକି ଚିନ୍ତାର ବିଷୟ । ଆଜି ଚିହ୍ନଟ ୮୮୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୭୨ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୨୧୦କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୬୮,୭୧୭; ପଜିଟିଭିଟି ୧.୨୯%।

Related Posts