ବିଜେଡିକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ କଟାକ୍ଷ – ‘ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି, ହେଲେ ମୂଷା ଭଳି ଲୁଚୁଛନ୍ତି’

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ” ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି ଦଳ। କେନ୍ଦ୍ରରେ ବିଲେଇ ଆଗରେ ମୂଷା ଭଳି ଲୁଚୁଛି। କାଳେ ବିଲେଇ ମୂଷାକୁ ଖାଇଦେଵ ଏହି ଭୟ ରହିଛି। ଯେଉଁଠି ଯେଉଁ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବା କଥା ସେଠାରେ ତାଙ୍କୁ ଖୋଜିଲେ ମିଳୁନି।” ଆଜି ଏମିତି କିଛି କଟାକ୍ଷ କରି ବିଜୁ ଜନତା ଦଳକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଖଣି ଦୁର୍ନୀତିକୁ ନେଇ ଆଜି ବିଧାନସଭା ଆରମ୍ଭରୁ ହୋହଲ୍ଲା ହେବା ସହ ଗୃହ ବାରମ୍ବାର ମୁଲତବୀ ହୋଇଛି । 

ଖଣି ଦୁର୍ନୀତି ମୁଲତବୀକୁ ବାଚସ୍ପତି ଗ୍ରହଣ ନ କରିବା ପରେ ବିରୋଧୀ ଦଳର ସଦସ୍ୟମାନେ ପୋଡିୟମ ତଳେ ହୋ-ହାଲ୍ଲା କରିଛି ବିରୋଧୀ କଂଗ୍ରେସ । ଆଉ ଅନ୍ୟପଟେ ଏମଏସପି ବୃଦ୍ଧି ଓ ଚାଷୀଙ୍କୁ ସାର ଯୋଗାଇଦେବା ପ୍ରସଙ୍ଗରେ ଗାନ୍ଧୀ ମୃର୍ତ୍ତି ତଳେ ପ୍ରତିବାଦ କରିଛି ଶାସକ ବିଜେଡି । ଚାଷୀଙ୍କ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ନେଇ ପ୍ରତିବାଦ ରାସ୍ତା ଆପଣାଇଛି ଶାସକ ବିଜେଡି । ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ନରସିଂହ ଆହୁରି ମଧ୍ୟ କହିଛନ୍ତି ଯେ , ମରୁଡ଼ି ଆଲୋଚନା ବେଳେ ସାରା ରାଜ୍ୟରେ ସରକାର ମରୁଡି ଘୋଷଣା କରନ୍ତୁ ବୋଲି କଂଗ୍ରେସ ଦାବି କରି ଆସୁଥିଲା ।  କିନ୍ତୁ ସେ ସମୟରେ ରାଜସ୍ବ ମନ୍ତ୍ରୀ କହିଥିଲେ ରାଜ୍ୟରେ ମରୁଡି ହୋଇନାହିଁ, ବର୍ଷା ଆଶଙ୍କା ରହିଛି, ସମୟ ଆସିଲେ ମରୁଡି ଘୋଷଣା କରାଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଏବେ ଖଣି ଦୁର୍ନୀତିରୁ ରକ୍ଷା ପାଇବା ପାଇଁ କେନ୍ଦ୍ରର ବୈମାତୃକ ମନୋଭାବ ଓ ଅବହେଳା କହିବା ଅତ୍ୟନ୍ତ ଦୁର୍ଭଗ୍ୟ ଜନକ। ଯଦି ବାସ୍ତବରେ ଚାଷୀଙ୍କ ପ୍ରତି ଆନ୍ତରିକତା ରହିଛି ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦେଇ ରାଜ୍ୟ ସରକାର କାହିଁକି କିଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ। ସେ ଆହୁରି ମଧ୍ୟ କହିଛନ୍ତି ଯେ , ହନୁ ମଲା ବେଳେ ସତ କୁହେ । ଫନି ଦୁର୍ନୀତିର ଚାପ ସହିବାକୁ ପଡ଼ିବାରୁ ପୁରୁଣା କଥା ଦୋହରାଉଛନ୍ତି। 

ଏହାର ଜବାବ ରଖି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗୃହରେ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ । କିନ୍ତୁ ବିରୋଧୀ ଦଳ ଗୋଟିଏ ଲେଖାଏଁ ପ୍ରସଙ୍ଗ ଧରି ଆଲୋଚନା କରିବାକୁ ଜିଦ୍ ଧରୁଛନ୍ତି, ଯାହାଦ୍ୱାରା ଅନ୍ୟ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇପାରୁନାହିଁ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ପାଇଁ ଯେତେବେଳେ ଯେଉଁଠି ଯେଉଁ ରୋଲ୍‌ ଦରକାର ତାହା କରାଯାଇଛି। କେତେବେଳେ ସିଂହ ତ କେତେବେଳେ ବାଘର ରୋଲ କରାଯାଇଛି। ଓଡ଼ିଶାର ସାଧାରଣ ଲୋକଙ୍କ ସ୍ୱାର୍ଥଙ୍କୁ ଆଖି ଆଗରେ ରଖି ଯେତେବେଳେ ଯେଉଁ ଗର୍ଜନ ଆବଶ୍ୟକ କରାଯାଉଛି। କେନ୍ଦ୍ରକୁ ଭୟ କରିବାର ପ୍ରଶ୍ନ ଉଠୁନି। କେନ୍ଦ୍ରରେ କଂଗ୍ରେସ ଥିବା ବେଳେ ଭୟ କରିନୁ କି ଏବେ ବିଜେପି ଥିବା ବେଳେ ବି ଡରିବାର ନାହିଁ ବୋଲି ସେ କହିଛନ୍ତି 

Related Posts