ସେପ୍ଟେମ୍ବର ୩୦ ରେ ଭାରତୀୟ ବାୟୁସେନାରୁ ଅବସର ନେବ ମିଗ-୨୧ ଯୁଦ୍ଧ ବିମାନ

ଭୁଅନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ବାୟୁସେନା ମିଗ-୨୧ ଯୁଦ୍ଧ ବିମାନକୁ ଅବସର ପ୍ରଦାନ କରିବାକୁ ଯାଉଛି। ଏନେଇ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ, ବାୟୁସେନା ସେପ୍ଟେମ୍ବର ୩୦ ରେ ମିଗ-୨୧ ଯୁଦ୍ଧ ବିମାନର ଅବଶିଷ୍ଟ ଚାରିଟି ସ୍କ୍ବାଡ୍ରନ ମଧ୍ୟରୁ ଗୋଟିଏକୁ ଅବସର ଦେବ। ଶ୍ରୀନଗରରେ ଅବସ୍ଥିତ ୫୧ ନମ୍ବର ବିଶିଷ୍ଟ ଏହି ସ୍କ୍ବାଡ୍ରନ ସୋର୍ଡ ଆର୍ମସ ଭାବରେ ମଧ୍ୟ ଜଣାଶୁଣା। ତତ୍କାଳୀନ ୱିଙ୍ଗ କମାଣ୍ଡର ତଥା ଏବେର ଗ୍ରୁପ କ୍ୟାପଟେନ ଅଭିନନ୍ଦନ ଭର୍ଥମାନ ୨୦୧୯ ଫେବୃଆରୀ ୨୭ରେ ଏହି ମିଗ-୨୧ ସହାୟତାରେ ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)ରେ ଡଗଫାଇଟ ସମୟରେ ପାକିସ୍ତାନୀ ଏଫ୍‌-୧୬କୁ ଗୁଳି କରି ଖସାଇଥିଲେ।

ସୂଚନାଯୋଗ୍ୟ ଯେ, ମିଗ -୨୧ ବିମାନ ୧୯୬୩ ମସିହାରେ ବାୟୁସେନାରେ ସାମିଲ ହୋଇଥିଲା ଏବଂ ବିଭିନ୍ନ ପ୍ରକାରର ପ୍ରାୟ ୯୦୦ ବିମାନ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏନେଇ ଅଧିକାରୀ କହିଛନ୍ତି ଯେ, ମିଗ -୨୧ର ଅବଶିଷ୍ଟ ତିନୋଟି ସ୍କ୍ବାଡ୍ରନ ୨୦୨୫ ସୁଦ୍ଧା ବାୟୁସେନାରୁ ଅବସର ନେବେ। ବାସ୍ତବରେ, ନିକଟ ଅତୀତରେ ଅନେକ ମିଗ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଭଳି ପରିସ୍ଥିତିରେ ସେମାନଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ଗତ ୬ ଦଶନ୍ଧି ମଧ୍ୟରେ୪୦୦ରୁ ଅଧିକ ବିମାନ ଦୁର୍ଘଟଣା ଘଟିଛି ଯେଉଁଥିରେ ପ୍ରାୟ ୨୦୦ପାଇଲଟଙ୍କ ମୃତ୍ୟୁ ଘଟିଛି। ବାରମ୍ବାର ଦୁର୍ଘଟଣା ହେତୁ ଏହି ବିମାନକୁ ଫ୍ଲାଇଙ୍ଗ କଫିନ କୁହାଯାଉଥିଲା ।

Related Posts