ପ୍ରାୟ ୧ କୋଟି ଟଙ୍କା ପେନ୍‌ସନ୍‌ ପାଇବେ ପୂର୍ବତନ ସେନା କର୍ମଚାରୀଙ୍କ ୯୪ ବର୍ଷୀୟା ବିଧବା ପତ୍ନୀ

ପ୍ରାୟ 30 ବର୍ଷ ତଳେ ପ୍ରାଣ ହରାଇଥିବା ଜଣେ ସେନା ଅଧିକାରୀଙ୍କ 94 ବର୍ଷୀୟା ବିଧବା ପତ୍ନୀଙ୍କୁ ମିଳିବ ପ୍ରାୟ 1 କୋଟି ଟଙ୍କାର ପେନ୍‌ସନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଫଳରେ ପ୍ରତିରକ୍ଷା ମନ୍ତ୍ରାଳୟ ୩୦ ବର୍ଷ ତଳେ ପ୍ରାଣ ହରାଇଥିବା ପୂର୍ବତନ ସେନା ଅଧିକାରୀଙ୍କ ବିଧବାପତ୍ନୀଙ୍କୁ ପରିବାର ପେନ୍‌ସନ୍‌ ଦେବାକୁ ନିର୍ଦ୍ଦେଶ ଦେଇଛି ।

ଗତ ୨୯ ବର୍ଷ ଧରି ପରିବାର ପେନ୍‌ସନ୍‌ ପାଇବାକୁ ବାରମ୍ବାର ପ୍ରତିରକ୍ଷା ମନ୍ତ୍ରାଳୟକୁ ଲିଖିତ ଅନୁରୋଧ କରିଥିଲେ ସେନା ଇଞ୍ଜିନିୟର୍‌ ସ୍ୱର୍ଗତ କର୍ଣ୍ଣେଲ୍‌ ବେଞ୍ଜାମିନ୍‌ଙ୍କ ବିଧବା ପତ୍ନୀ ହେବେ ବେଞ୍ଜାମିନ୍‌ । ଶେଷରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଚିଠି ଲେଖିଥିଲେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ହେବେ ବେଞ୍ଜାମିନ୍‌ ୨୯ ବର୍ଷ ପରେ ପେନ୍‌ସନ୍‌ ବାବଦକୁ ୭୫ ଲକ୍ଷରୁ ଅଧିକ ଟଙ୍କା ପାଇବେ । ଯଦି ପେ’ କମିସନ୍‌ ହିସାବରେ, ଏହା ସହ ସୁଧ ଓ ବକେୟା ଦିଆଯାଏ ତେବେ ସେ ପାଇବାକୁ ଥିବା ଅର୍ଥରାଶି ପ୍ରାୟ 1 କୋଟି ଟଙ୍କା ହୋଇଯିବ ।

ଇସ୍ରାଏଲ୍‌ରେ ରହୁଥିବା ହେବେଙ୍କ ବନ୍ଧୁ ଓ ଆତ୍ମୀୟମାନେ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀଙ୍କୁ ବାରମ୍ବାର ଭେଟିଲେ ବି ସେମାନେ ତାଙ୍କ ଫାଇଲ୍‌ ମଞ୍ଜୁର କରୁ ନ ଥିଲେ । ତାଙ୍କୁ ପରିବାର ପେନ୍‌ସନ୍‌ କାହିଁକି ନ ମିଳିବ, ସେ ନେଇ କୌଣସି କାରଣ ମଧ୍ୟ ଦର୍ଶା ଯାଉ ନ ଥିଲା ।

କର୍ପସ୍‌ ଅଫ୍‌ ଇଞ୍ଜିନିୟର୍ସରେ ଚାକିରି କରିଥିବା କର୍ଣ୍ଣେଲ୍‌ ବେଞ୍ଜାମିନ୍‌ ୧୯୬୬ ମସିହାରେ ଅବସର ଗ୍ରହଣ କରିଥିଲେ । ତାଙ୍କର ଇଣ୍ଡିଆନ୍‌ ହାଇକମିସନ୍‌ ନମ୍ବର ଥିଲା ୨୦୦୩ । ଅର୍ଥାତ୍‌ ସ୍ୱାଧୀନତା ପରେ ଭାରତୀୟ ସେନାରେ ତାଙ୍କୁ ୨୦୦୩ତମ ଅଧିକାରୀଭାବେ ନିଯୁକ୍ତ କରାଯାଇଥିଲା । ୧୯୯୦ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କର ପେନ୍‌ସନ୍‌ ବନ୍ଦ ହୋଇ ଯାଇଥିଲା ।

Related Posts