ଆଜି ଆସୁଛନ୍ତି ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା ଆସୁଛନ୍ତି । 2019 ସାଧାରଣ ନିର୍ବାଚନ ପାଇଁ ଜାତୀୟ ଦଳଙ୍କ ଫୋକସ୍‌ରେ ଏବେ ଓଡ଼ିଶା ରହିଥିବାବେଳେ କେନ୍ଦ୍ରୀୟ ନେତୃବର୍ଗ ଏବେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ଗତ ମାସକ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଥର ଓଡ଼ିଶା ଆସିଥିବାବେଳେ ଆସନ୍ତା 29 ତାରିଖରେ ଆସୁଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ।

ୟା ଭିତରେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ରାହୁଲ ଓଡ଼ିଶା ଆସୁଛନ୍ତି । ଏହାକୁ ନେଇ ରାଜ୍ୟରେ କଂଗ୍ରସ ମହଲରେ ଉତ୍ସାହ । ରାଜ୍ୟ କଂଗ୍ରେସର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଥିବା ବେଳେ ରାହୁଲଙ୍କ ଗସ୍ତ କର୍ମୀଙ୍କ ମନୋବଳକୁ ସୁଦୃଢ କରିବ । ଏହା ସହ ସେ ରାଜ୍ୟ ନେତୃତ୍ୱକୁ ଗୁରୁମନ୍ତ୍ର ପ୍ରଦାନ କରିବେ ।

ଋାହୁଲଙ୍କ ଗସ୍ତକୁ ନେଇ ଚଳଚଂଚଳ ହୋଇ ପଡିଛି କଂଗ୍ରେସ କ୍ୟାମ୍ପ୍‌ । ଦଳର ନେତା ତଥା ପିସିସି ସଭାପତି ସାରା ରାଜଧାନୀକୁ ପୋଷ୍ଟର ଓ ବ୍ୟାନରରେ ଛାଇ ଦେଇଛନ୍ତି । ରାହୁଲଙ୍କ ଗସ୍ତକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀ କଡ଼ା ପରିଶ୍ରମ କରୁଥିବା ଦେଖାଯାଇଛି ।

ଦିନସାରା ରାହୁଲଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସକାଳ ୧୦ଟା ୩୦ରୁ ଅପରାହ୍ନ ୫ଟା ଯାଏ ରାହୁଲ ରାଜଧାନୀରେ ରହିବେ । ଏହି ସମୟ ମଧ୍ୟରେ ପ୍ରଥମେ ଏକ ହୋଟେଲରେ ବୁଦ୍ଧିଜୀବିଙ୍କ ସହିତ ଆଲୋଚନା କରିବେ । ୨ଟା ୩୦ରେ ଖୋର୍ଦ୍ଧା ତମୋଣ୍ଡୋ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିବେ ରାହୁଲ । ଏହା ବାଦ୍‌ ସେ ହାଲ୍‌ ଓ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ କଂଗ୍ରେସ ଭବନରେ ସାକ୍ଷାତ କରିବେ ବୋଲି ପ୍ରଭାରୀ ସୂଚନା ଦେଇଛନ୍ତି ।

Related Posts