ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ଚାମ୍ପିଆନ ହେଲା ଭାରତ, ଫାଇନାଲରେ ମା‌ଲେସିଆକୁ ୪-୩ରେ ହରାଇଲା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ); ଚମତ୍କାର ପ୍ରତ୍ୟାବର୍ତନ ସହିତ ଭାରତ ଚତୁର୍ଥ ଥର ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜେତା ହୋଇଛି। ଶନିବାର ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଭାରତ ୪୫ତମ ମିନିଟ୍ ପର୍ଯ୍ୟନ୍ତ ୧-୩ରେ ପଛରେ ପଡ଼ିଥିଲେ ମଧ୍ୟ ୪-୩ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛି। ମ୍ୟାଚ୍‌ର ନବମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଯୁଗରାଜ ସିଂହ ଗୋଲ୍‌ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲା। ହେଲେ ୧୪ତମ ମିନିଟ୍‌ରେ ମାଲେସିଆର ଅଜରାଇ ଆବୁ କମଲ ଫିଲ୍ଡ ଗୋଲ୍‌ ଜରିଆରେ ଏହାକୁ ଶୁଝି ସ୍ଥିତି ସାମନ କରିଦେଇଥିଲେ। ପ୍ରଥମ କ୍ବାର୍ଟର ୧-୧ରେ ସରିବା ପରେ ଦ୍ବିତୀୟ କ୍ବାର୍ଟରରେ ମାଲେସିଆ ୨ ଗୋଲ୍‌ ଲଦି ୩-୧ରେ ଆଗୁଆ ହୋଇଯାଇଥିଲା।

ପେନାଲ୍ଟି କର୍ଣ୍ଣର ଜରିଆରେ ରହିମ ରାଜି (୧୮ ମିନିଟ୍‌) ଓ ମହମ୍ମଦ ଅମିନୁଦିନ (୨୮ ମିନିଟ୍‌) ଏହି ‌ଦୁଇ ଗୋଲ୍‌ ଦେଇଥିଲେ। ତୃତୀୟ କ୍ବାର୍ଟରର ଶେଷ ମିନିଟ୍‌ରେ ଭାରତ ଗୋଟିଏ ଲେଖାଏଁ ପେନାଲ୍‌ଟି ଷ୍ଟ୍ରୋକ୍‌ ଏବଂ ଫିଲ୍ଡ ଗୋଲ୍‌ ଦେଇ ପ୍ରତ୍ୟାବର୍ତ୍ତନ କରିବା ସହ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲା। ୪୫ତମ ମିନିଟ୍‌ ଦଳକୁ ମିଳିଥବା ପେନାଲ୍ଟିକୁ ଅଧିନାୟକ ହର୍ମନପ୍ରୀତ ସିଂହ ଗୋଲ୍‌ କରିଥି‌ଲା ବେଳେ ଫିଲ୍ଡ ଗୋଲ୍‌ଟି ସେହି ସମାନ ସମୟରେ ଗୁରଜାଣ୍ଟ ସିଂହ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଆକାଶଦୀପ ସିଂହ (୫୬ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦିକ ସିଂହଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଭାରତ ୨୦୧୧, ୨୦୧୬ ଓ ୨୦୧୮ (ପାକିସ୍ତାନ ସହ ଯୁଗ୍ମ) ବିଜେତା ହୋଇଥିଲା। ଗତ ସଂସ୍କରଣରେ ଭାରତ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଅନ୍ୟପକ୍ଷରେ ୫ ଥର ତୃତୀୟ ସ୍ଥାନରେ ରହିଥିବା ମାଲେସିଆ ଏହି ପରାଜୟ ସହ ପ୍ରଥମ ଥର ଉପବିଜେତା ହୋଇଛି। ଏହା ପୂର୍ବରୁ ତୃତୀୟ ସ୍ଥାନ ଲାଗି ଖେଳାଯାଇଥିବା ମ୍ୟାଚ୍‌ରେ ଜାପାନ ୫-୩ ଗୋଲ୍‌ରେ କୋରିଆକୁ ପରାସ୍ତ କରି କାଂସ୍ୟ ଜିତିଥିଲା।

ଭାରତୀୟ ଦଳର ଏହି ଐତିହାସିକ ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ବିଶିଷ୍ଠ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଦଳର ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଏବଂ ସର୍ପୋର୍ଟ ଷ୍ଟାଫ୍‌ଙ୍କୁ ୧.୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବାକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଘୋଷଣା କରିଛନ୍ତି। ଏହି ପ୍ରତିଯୋଗିତାରେ ମନଦୀପ ସିଂହଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ମୋଟ ୯ ଗୋଲ୍‌ ସ୍କୋର କରିଥିବା ଭାରତୀୟ ଅଧିନାୟକ ହର୍ମନପ୍ରୀତ୍‌ ସିଂହଙ୍କୁ ସର୍ବାଧିକ ସ୍କୋରର, ହାର୍ଦ୍ଦିକ ସିଂହ ହିରୋ ଅଫ୍‌ ଦ ମ୍ୟାଚ୍‌ ଓ ସେଲଭମ୍‌ କର୍ତି ଫାଇନାଲ୍‌ରେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ପାଇଥିଲେ। ଜାପାନ୍‌ର ତାକୁମି କିତାଗୱାଙ୍କୁ ଉଦୀୟମାନ ଗୋଲ୍‌ରକ୍ଷକ, କୋରିଆର କିମ୍‌ ଜିହିଅନ୍‌ଙ୍କୁ ଶ୍ରେଷ୍ଠ ଗୋଲ୍‌ରକ୍ଷକ, ପାକିସ୍ତାନର ଅବଦୁଲ ସହିଦ୍‌ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ।

Related Posts