ବହୁଚର୍ଚ୍ଚିତ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ବଡ ଆଶ୍ବସ୍ତି। ପିଏ ଦେବନାରାୟଣଙ୍କ ମୃତ୍ୟୁକୁ ନେଇ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ। ମନୀଷଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିବା ସହିତ ନିମ୍ନ ଅଦାଲତ ଶୁଣାଣି ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ଓଡ଼ିଶା ହାଇକୋର୍ଟଙ୍କ ଗତ ଜୁନ ୨୨ର ରାୟକୁ ଚାଲେଞ୍ଜ କରି ମନୀଷ ଦାୟର କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଗତ ୨୦୧୯ ଡିସେମ୍ବର ୨୭ରେ ମାଲକାନାଗିରି ଜିଲ୍ଲାପାଳ ଥିବା ମନୀଷ ଅଗ୍ରୱାଲଙ୍କ ପିଏ ଦେବନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ। ପରଦିନ ସତୀଗୁଡା ଡ୍ୟାମ୍ ନିକଟରୁ ତାଙ୍କର ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଦେବନାରାୟଣ ଆତ୍ମହତ୍ୟା କରିଥିବା ପୁଲିସ କହିଥିଲା। କିନ୍ତୁ ଦେବନାରାୟଣଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରି ସେ ଏସ୍ଡିଜେଏମ୍ଙ୍କ ଅଦାଲତରେ ମନୀଷ ଓ ତାଙ୍କର ଅନ୍ୟ ସହଯୋଗୀଙ୍କ ବିରୋଧରେ ଏକ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ। ଏହି ପିଟିସନ୍କୁ ବିଚାର ପାଇଁ ଗ୍ରହଣ କରି ମାଲକାନାଗିରି ଏସ୍ଡିଜେଏମ୍ ଅଦାଲତ ଆଇପିସିର ଦଫା ୩୦୨ ଓ ଅନ୍ୟା ଦଫାରେ କଗ୍ନିଜାନ୍ସ ଗ୍ରହଣ କରିବା ସହିତ ମନୀଷ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିଥିଲେ। ୨୦୨୨, ଡିସେମ୍ବର ୧୯ର କଗ୍ନିଜାନ୍ସ ନିର୍ଦ୍ଦେଶକୁ ବିରୋଧ କରି ମନୀଷ ଓ ଅନ୍ୟମାନେ ପୃଥକ ମାମଲା ହାଇକୋର୍ଟରେ ଦାୟର କରିଥିଲେ। ଏହା ପରେ ୨୦୨୩, ଜୁନ ୨୨ରେ ଏହି ମାମଲା ନିମ୍ନ ଅଦାଲତରେ ଚାଲି ପାରିବ ବୋଲି ହାଇକୋର୍ଟ ରାୟ ପ୍ରକାଶ କରିଥିଲେ। ଏବେ ସୁପ୍ରିମକୋର୍ଟ ଶୁଣାଣି ଉପରେ ରହିତାଦେଶ ଜାରି କରିବା ପରେ ମନୀଷ ଅଗ୍ରୱାଲଙ୍କୁ ବଡ ଆଶ୍ୱସ୍ତି ମିଳିଛି।





