ବାହାନଗା ଟ୍ରେନ ଦୁର୍ଘଟଣାର ପ୍ରମାଣ ନଷ୍ଟ କରିଥିଲେ ତିନି ଅଭିଯୁକ୍ତ; ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଶନିବାର ତଦନ୍ତକାରୀ ଅଧିକାରୀ ଚାର୍ଜସିଟ୍ ଦାଖଲ କରିଛନ୍ତି। ଏଥିରେ ୩ ଅଭିଯୁକ୍ତଙ୍କ ନାଁ ରହିଛି। ସେମାନେ ହେଲେ ବାଲେଶ୍ବର ସିନିଅର ସେକ୍ସନ୍ ଇଞ୍ଜିନିୟର(ସିଗନାଲ୍) ଅରୁଣ କୁମାର ମହାନ୍ତ, ସୋରୋ ସିନିଅର ସେକ୍ସନ ଇଞ୍ଜିନିୟର(ସିଗନାଲ୍) ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାର। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା-୩୦୪(୨) (ହତ୍ୟା ଉଦ୍ଦେଶ୍ୟ ନୁହେଁ କିନ୍ତୁ ମୃତ୍ୟୁ ପାଇଁ ଦାୟୀ), ୨୦୧(ପ୍ରମାଣ ନଷ୍ଟ କରିବା) ଓ ୩୪(ସମସ୍ତ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ସମାନ) ଏବଂ ରେଳ ଆଇନ-୧୯୮୯ର ଦଫା-୧୫୩ ଲଗା ଯାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ତଦନ୍ତ ଜାରି ରହିଥିବା ମଧ୍ୟ ଦର୍ଶାଯାଇଛି।

ଦୁର୍ଘଟଣା ପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିଥିଲେ ‌ବୋଲି ଚାର୍ଜସିଟରେ ଉଲ୍ଳେଖ ରହିଛି। ସିବିଆଇ ତଦନ୍ତ ସମୟରେ ଏ କଥା ଜାଣିବାକୁ ପାଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ ପରେ ରିମାଣ୍ଡରେ ଆଣି ସେମାନଙ୍କ ଠାରୁ ସତ ଉଗାଳିଥିଲା। ସେହିପରି ଘଟଣାସ୍ଥଳରୁ ମଧ୍ୟ ଫରେନସିକ୍ ଓ ରେଳ ବିଶେଷଜ୍ଞ ଟିମ୍ ଜରିଆରେ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା ତଦନ୍ତକାରୀ ଟିମ୍। ଯାହାକୁ କୋର୍ଟରେ ଦାଖଲ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବାଲେଶ୍ବର ଷ୍ଟେସନରେ ଲାଗିଥିବା ପୁରୁଣା ଇଲେକ୍ଟ୍ରିକ୍ ଲିଫ୍ଟିଂ ବ୍ୟାରିଅର (ଇଏଲବି)କୁ ଖୋଲାଯାଇ ବାହାନଗା ଷ୍ଟେସନରେ ଲଗା ଯାଇଥିଲା। ତିନି ଅଭିଯୁକ୍ତ ଟେକ୍ନିସିଆନ୍ ପପୁ କୁମାର, ସିନିଅର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ଓ ମହମ୍ମଦ ଅମିର ଏହାକୁ ଯାଞ୍ଚ କରିଥିଲେ। କିନ୍ତୁ ଦୁର୍ଘଟଣା ଘଟିଥିଲା। ସେମାନଙ୍କ ଅବହେଳାରୁ ଦୁର୍ଘଟଣା ଘଟିଲା ବୋଲି ସିବିଆଇ ତଦନ୍ତରୁ ଜାଣିବାକୁ ପାଇଥିଲା। ପ୍ରମାଣକୁ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ ଅଭିଯୁକ୍ତ। କିନ୍ତୁ କେବଳ ଏମାନେ ନାଁ ଏହାକୁ ଯାଞ୍ଚ କରିବାକୁ ଥିବା ବରିଷ୍ଠ ଅଧିକାରୀମାନେ ମଧ୍ୟ ଦାୟୀ ତାହାର ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ୍ ୨ରେ ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ବାଲେଶ୍ବର ଜିଆରପି ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଥିଲା। ରେଳ ମନ୍ତ୍ରଣାଳୟ ସୁପାରିସ ଆଧାରରେ ଜୁନ୍ ୬ରୁ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ବାଲେଶ୍ବର ଜିଆରପି ଠାରୁ ମାମଲାକୁ ନେଇଥିଲା ସିବିଆଇ ଦିଲ୍ଲୀ ମୁଖ୍ୟ ଶାଖା। ରେଳ ସୁରକ୍ଷା କମିସନର ମଧ୍ୟ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟରୁ ଦୋଷତ୍ରୁଟି ଜଣାପଡ଼ିବା ପରେ ଜୁଲାଇ ୭ରେ ସିବିଆଇ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ରିମାଣ୍ଡରେ ନେବା ସହ ମାମଲା ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରମାଣ ହାସଲ କରିଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଥିଲେ।

Related Posts