ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭଡା ଘରେ ଛପା ଯାଉଥିଲା ଜାଲ ନୋଟ୍, ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସୁବର୍ଣ୍ଣପୁରରୁ ଜବତ ହୋଇଛି ୪୧ ଲକ୍ଷ ଟଙ୍କାର ଜାଲ୍ ନୋଟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ ଏସଟିଏଫ୍ ଚଢାଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କା ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହର ଓ ସେ ସୋନପୁର ବାସିନ୍ଦା ବୋଲି ଜଣାପଡିଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଏଥିସହିତ ଜାଲ୍ ନୋଟ ଛପା ଯାଉଥିବା କଲର ପ୍ରିଣ୍ଟର, କଲର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇରେ ଏକ ଭଡ଼ା ଘରେ ଜାଲ୍ ନୋଟ ଛପା ଯାଉଥିଲା । ୫୦୦ ଟଙ୍କିଆ ଜାଲ୍ ନୋଟ ଛପାଯାଇ ସୁବର୍ଣ୍ଣପୁର ସମେତ ରାଜ୍ୟର ବିଭିନ୍ନ ସହରକୁ ପଠାଯାଉଥିଲା । ବିଶେଷକରି ସୁବର୍ଣ୍ଣପୁର ମାର୍କେଟକୁ ଅଧିକ ପରିମାଣର ଜାଲ୍ ନୋଟ୍ ଛଡ଼ା ଯାଇଥିବା ସୂଚନା ମିଳିଛି । ୨୫ ହଜାର ଟଙ୍କାର ଅସଲି ନୋଟ୍ ବଦଳରେ ୧ ଲକ୍ଷ ଟଙ୍କାର ଜାଲ୍ ନୋଟ ଯୋଗାଇ ଦିଆଯାଉଥିଲା । ବିଶେଷ ସୂତ୍ରରୁ ଖବରପାଇ ଗତକାଲି ଏସ୍ଟିଏଫର ଏକ ଟିମ୍ ମାଟିଖାଲରେ ଉକ୍ତ ଭଡ଼ା ଘରେ ଚଢ଼ଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏହି ଜାଲ୍ ନୋଟ କାରବାର ରାକେଟ୍ରେ କେତେ ଜଣ ସାମିଲ୍ ଅଛନ୍ତି? ଜାଲ୍ ନୋଟ ନେଟୱର୍କ କେତେବାଟ ଲମ୍ବିଛି? କେଉଁ କେଉଁ ଜିଲ୍ଲାକୁ ବ୍ୟାପିଛି? ସେନେଇ ଏସ୍ଟିଏଫ୍ ଛାନଭିନ୍ କରୁଛି । ତେବେ ଜବତ ନୋଟଗୁଡିକ ଯାଂଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଥିବା ସୂଚନା ମିଳିଛି ।





